ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଚଳିତ କ୍ରିକେଟ ବିଶ୍ୱକପରେ ଟିମ୍ ଇଣ୍ଡିଆର ଦମ୍ଦାର ପ୍ରଦର୍ଶନ । ଛଅରୁ ଛଅ ମ୍ୟାଚ୍ ଜିତି ୧୨ ପଏଂଟ ସହ ଶୀର୍ଷରେ ଭାରତ । ଏଥିସହ ପ୍ରଥମ ଦଳ ଭାବେ ସେମିଫାଇନାଲରେ ଏଣ୍ଟ୍ରି ମାରିଛି ରୋହିତ ବାହିନୀ । ବିଶ୍ୱକପର ୨୯ତମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ୧୦୦ରନର ବଡ ବ୍ୟବଧାନରେ ଧରାଶାୟୀ କରିଛି ଭାରତ । ଫଳରେ ୬ଟିରୁ ୫ଟି ମ୍ୟାଚରେ ହାରି ପଂଏଣ୍ଟ ତାଲିକାର ଦଶମ ସ୍ଥାନକୁ ଚାଲିଯାଇଛି ଇଂଲଣ୍ଡ । ଫଳରେ ୨୦୨୫ରେ ପାକିସ୍ତାନରେ ହେବାକୁ ଥିବା ଚାମ୍ପିଆନ୍ସ ଟ୍ରଫିରୁ ଇଂଲଣ୍ଡ ବାଦ୍ ପଡିବା ସମ୍ଭାବନା ସୃଷ୍ଟି ହୋଇଛି । କାରଣ ଚାମ୍ପିଆନ ଟ୍ରଫିରେ ଆୟୋଜକ ଦେଶ ପାକିସ୍ତାନ ସମେତ ୨୦୨୩ ବିଶ୍ୱକପରେ ଶ୍ରେଷ୍ଠ ୭ଟି ଦଳ ଆଂଶଗ୍ରହଣ କରିବେ ।
ବିଶ୍ୱକପରେ ଦୀର୍ଘ ୨୦ବର୍ଷ ପରେ ଭାରତ ଇଂଲଣ୍ଡକୁ ହରାଇଛି । ଏବେ ବିଶ୍ୱକପରେ ୪ଟି ଲେଖାଏଁ ବିଜୟ ସହ ଉଭୟ ଦଳ ସମକକ୍ଷ ହୋଇଛନ୍ତି । ରବିବାର ଲକ୍ଷ୍ନୈାର ଷ୍ଟାଡିୟମ ଠାରେ ଖେଳା ଯାଇ ଥିବା ଏହି ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ଫିଲ୍ଡିଂ ର ନିଷ୍ପତି ନେଇଥିଲା । ଏହି କଷ୍ଟସାଧ୍ୟ ପିଚ୍ରେ ପ୍ରଥମେ ଭାରତକୁ କମ ରନରେ ସିମିତ ରଖିବା ଏବଂ ସଂଧ୍ୟ୍ୟାରେ କାକର ସହାୟତାରେ ସହଜ ବ୍ୟାଟିଂ କରି ଜିତିବା ଲକ୍ଷ୍ୟ ଇଂଲଣ୍ଡ ରଖିଥିଲା । କିନ୍ତୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଆକ୍ରମଣାତ୍ମକ ବ୍ୟାଟିଂ, ଲୋକେଶ ରାହୁଲ ଓ ଯଶପ୍ରୀତ ଭୁମରାଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଇଂଲଣ୍ଡ ଆଶାରେ ପାଣି ପୂରାଇ ଦେଇଥିଲା । ଭାରତର ଆରମ୍ଭ ଠିକ୍ଠାକ୍ ହୋଇଥିବା ବେଳେ ୧୨ ଓଭରରେ ମାତ୍ର ୪୦ରନରେ ୩ଟି ୱିକେଟ ପଡିବାରୁ ବ୍ୟାକଫୁଟ୍ ରେ ଥିଲା ଭାରତ । ତେବେ ରୋହିତ ୧୦୧ଟି ବଲରୁ ୧୦ ଚୌକା ୩ ଛକା ସହ ୮୭ ଏବଂ ରାହୁଲ ୫୮ବଲରୁ ୩ଟି ଚୌକା ସହ ୩୯ରନ କରି ବ୍ୟାଟିଂକୁ ସ୍ଥିରତା ଦେଇଥିଲେ । ନିମ୍ନ ମଧ୍ୟ କ୍ରମରେ ସୂର୍ଯ୍ୟକୁମାରଙ୍କ ୪୭ ବଲରୁ ୪ ଚୌକା ଗୋଟିଏ ଛକା ସହ ୪୯ ରନ ବଲରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୨୯ ରନ କରିଥିଲା ।
ଇଂଲଣ୍ଡ ପକ୍ଷରୁ ୱିଲି ୩ଟି , ୱର୍କସ, ରଶିବ ୨ ଲେଖାଏଁ ଓ ମାର୍କଲଡ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଇଂଲଣ୍ଡ ଭଲ ଆରମ୍ଭ କରି ପ୍ରଥମ ୱିକେଟ୍ ରେ ୫ଓଭରରେ ୩୦ରନ କରିଥିଲା । ତେବେ ମାତ୍ର ୯ରନ ରେ ୪ଟି ୱିକେଟ୍ ପଡିଥିବାରୁ ଇଂଲଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ବୁମରା, ମହମ୍ମଦ ଶମୀ ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଇଥିଲେ ଇଂଲଣ୍ଡ ବ୍ୟାଟ୍ସ ମ୍ୟାନ୍ । ପିଚ୍ରେ ଭଲ ବାଉନ୍ସ ଥିବାରୁ ଇଂଲଣ୍ଡର ବୋଲର ମାନେ ପ୍ରଥମେ ଅନୁକୂଳ ପରିସ୍ଥିତିର ଫାଇଦା ଉଠାଇଥିଲେ । ତେବେ ଲାଇନ ଲେଙ୍ଗଥ୍ , ସ୍କିଙ୍ଗ ଓ ଟର୍ଣ୍ଣ ହାସଲ କରି ଭାରତୀୟ ବୋଲର ଚତ୍ମକାର ପ୍ରଦର୍ଶନ କରିଥିଲେ । କେବଳ ଲିଆମ ଲିଭିଙ୍ଗଷ୍ଟୋନଙ୍କ ୨୭ରନକୁ ଛାଡି ଦେଲେ ଆଉ କେହି ୨୦ରନ ବି କରିପାରିନଥିଲେ । ଡେୱିଡ ମଲାନ ଓ ଡେଭିଡ ୱିଲି ୧୬ରନ ଲେଖାଏଁ ମୋଇନ ଅଲ୍ଲୀ ୧୫, ଜନି ବେୟାରଷ୍ଟୋ ୧୪, ଆଦିଲ ରସିଦ ୧୩ ଏବଂ କ୍ରିସ୍ ୱକସ୍ ଓ ଜୋଟା କଟଳର ୧୦ ଲେଖାଏଁ ରନ କରିଥିଲେ । ଉଭୟ ପଟୁ କୋହଲି, ଜୋରୁଟ ଓ କନଷ୍ଟୋକଙ୍କ ଭଳି ବ୍ୟାଟିଂ ମହାରଥି ଖାତା ଖୋଲି ପାରିନଥିଲେ । ଭାରତ ପକ୍ଷରୁ ଶମୀ ୪ଟି, ବୁମରା ୩ଟି , କୁଲଦୀପ ୨ଟି ଓ ରବିନ୍ଦ୍ର ଯାଡେଯା ଗୋଟିଏ ୱିକେଟ ନେଇଥିଲେ । ଫଳରେ ଇଂଲଣ୍ଡ ୩୪.୫ ଓଭରରେ ୧୨୯ରନ ରେ ଅଲଆଉଟ୍ ହୋଇଥଲା । ଆଉ ୧୦୦ରନରେ ମ୍ୟାଚ ହାରିଥଲା । ରୋହିତ୍ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।