ବିଜେବି କଲେଜ ଷ୍ଟ୍ରଙ୍ଗ୍ରୁମ୍ରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପ୍ରବେଶ ନେଇ ତୁମୂଳ କାଣ୍ଡ, ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତୀ
ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରସ୍ଥିତ ବିଜେବି କଲେଜରେ ଥିବା ଷ୍ଟ୍ରଙ୍ଗ୍ରୁମ୍ରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପ୍ରବେଶ ନେଇ ଆଜି ସନ୍ଧ୍ୟାରେ ଉତ୍ତେଜନା ଲାଗି ରହିଥିଲା। କଲେଜ ସାମ୍ନାରେ ସନ୍ଧ୍ୟା ପରଠାରୁ ଏହି ଉତ୍ତେଜନା ଲାଗି ରହିଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିବାରୁ ପୁଲିସ୍ ଫ୍ଲାଗ୍ମାର୍ଚ୍ଚ କରିଛି। ପୁଲିସ ଲାଠିଚାଳନା କରି ବିକ୍ଷୋଭକାରୀଙ୍କୁ ଘଉଡାଇଛି। ଏହା ପୂର୍ବରୁ ବିକ୍ଷୋଭକାରୀଙ୍କ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଡିସିପି ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି। କିନ୍ତୁ ଷ୍ଟଙ୍ଗରୁମ୍ ବାହାରେ ଉତ୍ତେଜନା ଜାରି ରହିଛି। ପୁଲିସ ଉପରକୁ ବିଜେପି କର୍ମୀମାନେ ପଥରମାଡ଼ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ବିଜେବି କଲେଜରେ ଥିବା ଷ୍ଟଙ୍ଗ ରୁମରେ ଜଣେ ସନ୍ଦିଗ୍ଧ ପସିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଷ୍ଟ୍ରଙ୍ଗ୍ରୁମ୍ ବାହାରେ ଉତ୍ତେଜନା ଲାଗିରହିଛି। ବିଜେପି ଅଭିଯୋଗ ଆଣିଛି ଯେ, ଷ୍ଟ୍ରଙ୍ଗ ରୁମରେ କେହି ଜଣେ ବ୍ୟକ୍ତି ପସିଥିଲା। ବିଜେପିକର୍ମୀମାନେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ପୁଲିସରେ ଜିମା ଦେଇଥିଲେ। ତେବେ ଏହାକୁ କେନ୍ଦ୍ର କରି ଷ୍ଟ୍ରଙ୍ଗ ରୁମ ବାହାରେ ଉତ୍ତେଜନା ବଢ଼ିଛି । ତେଣୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଧିରେ ଧିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେଣୁ ପରିସ୍ଥିତି ଅଣାୟତ ହୋଇଛି। ବିଜେଡି ପକ୍ଷରୁ କୁହାଯାଇଛି ଯେ, ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ନିର୍ବାଚନ ପରାଜୟ ଭୟରେ ବିଜେପି ହତାଶ ହୋଇପଡ଼ିଛି। ପରିସ୍ଥିତିକୁ ଆୟତ୍ତରେ ଆଣିବା ପାଇଁ ପୁଲିସ ମୃଦୁ ଲାଠିଚାଳନା କରିଛି। ଏଥିରେ ଜଣେ ଯୁବକ ଆହତ ହୋଇଥିବା ସୂଚନା ମିଳିଛି। ବିକ୍ଷୋଭକାରୀଙ୍କ ଆକ୍ରମଣରେ ଯୁବକ ଜଣକ ଲହୁଲୁହାଣ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଯୁବକଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।
ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ଷ୍ଟ୍ରଙ୍ଗ ରୁମ୍ ରେ ସିସିଟିଭି ଠିକ୍ ଅଛି । ସିସିଟିଭି ୨୪ ଘଣ୍ଟା ଧରି ଚାଲିଛି ।କେବେବି ବନ୍ଦ ହୋଇନି । ଷ୍ଟ୍ରଙ୍ଗ ରୁମ୍ ଭିତରେ ଥିବା ଯୁବକ ହେଉଛନ୍ତି ନିର୍ବାଚନ କମିଶନରଙ୍କ ଦ୍ଵାରା ନିଯୁକ୍ତ authorised person । ଅଭିଯୋଗ ଉପରେ ମତ ରଖିଲେ ଜିଲ୍ଲାପାଳ । ଯେଉଁ ଅପ୍ରୀତିକର ଘଟଣା ଘଟିଲା ଓ ଆହତ ହୋଇଥିବା ପୋଲିସ କର୍ମଚାରୀ ଓ ସାଧାରଣ ଲୋକଙ୍କ ଆସୁ ଆରୋଗ୍ୟ କାମନା କଲେ ଜିଲ୍ଲାପାଳ । ନିର୍ବାଚନ ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇଥିଲା । ନିର୍ବାଚନ ନିୟମ ଅନୁଯାୟୀ ସବୁ ଦଳର ପ୍ରାର୍ଥୀ ଓ ଇଯେଣ୍ଟ ଙ୍କ ଉପସ୍ଥିତି ରେ ଇ ଭି ଏମ ରୁମ୍ ସିଲ କରାଯାଇଛି । ଆସନ୍ତା କାଲି ସକାଳ ୮ ଠାରୁ ଗଣତି ହେବ ।