ବର୍ଦ୍ଦି ପଛରେ ଲୁଚିଥିବା ବର୍ବର ଚେହେରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାନ୍ଦବାଲି ପୋଲିସର ବର୍ବରତା ସୀମା ଟପିଛି। ଥାନା ପରିସରରେ ଜଣେ ଦଳିତ ମହିଳାଙ୍କୁ ଘୋଷାରି ଘୋଷାରି ମାଡ଼ ମାରିବା ସହ ତାଙ୍କର ନାବାଳିକା ନଣନ୍ଦଙ୍କୁ ମଧ୍ୟ ମାଡ଼ ମାରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୩ଜଣ ପୁରୁଷ ପୋଲିସ ଜଣେ ମହିଳାଙ୍କୁ ଥାନା ପରିସରରେ ଏଭଳି ମାଡ଼ ମାରିବା ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ପୋଲିସ ଆକ୍ରମଣରେ ଆହତ ହୋଇଥିବା ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଗତ ୨୫ ତାରିଖ ସନ୍ଧ୍ୟାରେ ମହିଳାଙ୍କୁ ଘୋଷାଡି ନେଇଥିବା ଜଣେ କନେଷ୍ଟବଳ, ଜଣେ ASI ଏବଂ ଜଣେ ହୋମ ଗାର୍ଡ ଡ୍ରାଇଭରକୁ ଭଦ୍ରକ ଜିଲ୍ଲା ହେଡକ୍ୱାଟର୍ସକୁ ବଦଳି କରା ଯାଇଛି।

ଯୋତା ଖୋଳ ଫିଙ୍ଗିବା ଘଟଣାରେ  ମହିଳା ଏବଂ କନେଷ୍ଟବଳଙ୍କ ବଚସାରୁ ଆରମ୍ଭ ହୋଇଥିଲା ବର୍ବରତା । ତେବେ ସୂଚନ ମୁତାବକ,  ମଙ୍ଗଳବାର ସନ୍ଧ୍ୟାରେ ଚାନ୍ଦବାଲି ଏନ୍‌ଏସିର ଶମ୍ଭୁରାମ ସେଠୀ ଏକ ଗଣ୍ଡଗୋଳ ଘଟଣାକୁ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଶମ୍ଭୁରାମଙ୍କୁ ଦେଖା କରିବା ପାଇଁ ସ୍ତ୍ରୀ ମିତା ସେଠୀ ତାଙ୍କ ନାବାଳିକା ନଣନ୍ଦ ଓ ୩ ବର୍ଷର ଝିଅକୁ ଧରି ଥାନାକୁ ଯାଇଥିଲେ। ଥାନା ସମ୍ମୁଖରେ ପଡ଼ିଥିବା ଏକ ଜୋତା ଖୋଳ ଧରି ଝିଅ ଖେଳୁଥିବା ଦେଖି ମିତା ତାହାକୁ ଛଡ଼ାଇ ଆଣି ବାହାରେ ପକାଇ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା କନଷ୍ଟେବଲ ରବୀନ୍ଦ୍ର ସେଠୀ ଜୋତା ଖୋଳକୁ ଡଷ୍ଟବିନ୍‌ରେ ନ ପକାଇ ବାହାରେ କାହିଁକି ପକାଇଲ ବୋଲି ପଚାରିଥିଲେ। ଏଥିରେ ମିତା ରାଗିଯାଇ ଥାନା କ’ଣ ତୋ ବୋପାର, ମୋର ଯେଉଁଠି ଇଚ୍ଛା ହେବ ମୁଁ ସେଠି ପକାଇବି ବୋଲି କହିଥିଲେ। ଏଥିରେ କନଷ୍ଟେବଲ ସେଠୀ ଉତ୍ତ୍ୟକ୍ତ ହୋଇ ମିତାଙ୍କ ଗାଲକୁ ଦୁଇ ତିନି ଚାପୁଡ଼ା ମାରିଥିଲେ। ମିତା ରାଗିଯାଇ ରବୀନ୍ଦ୍ରଙ୍କୁ ଗାଳିଗୁଲଜ କରିବା ସହ ଇଟା ଫିଙ୍ଗିଥିଲେ।

ସେହି ସମୟରେ ବର୍ଷା ହେଉଥିବାରୁ ଥାନା ସମ୍ମୁଖ ହନୁମାନ ମନ୍ଦିର ଉପରକୁ ମିତା ଚାଲିଆସିଥିଲେ। ପରେ ମହିଳା ଜଣଙ୍କ ପାଟି କରିବାରୁ କନଷ୍ଟେବଳ ଜଣକ ତାଙ୍କୁ ଏକ ବାଡ଼ିରେ ନିର୍ଧୂମ ପିଟିଥିଲେ। ଏହାପରେ ୩ ଜଣ ପୋଲିସ ପହଞ୍ଚି ତାଙ୍କୁ ଜବରଦସ୍ତି ଟେକି ନେଇ ଥାନା ଗେଟ୍‌ ବାହାରେ ଛାଡ଼ି ଦେଇଥିଲେ। ଏହି ଟଣାଓଟରା ସମୟରେ ମହିଳାଙ୍କ ପିନ୍ଧା ଶାଢୀ ଚିରି ଯାଇଥିଲା। ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଭାବେ ଟେକି ଟେକି ନେଇ ଯିବାର ଏ ଭିଡିଓ ସୋସିଆଲ ମିଡିଆ ଭାଇରାଲ ହୋଇଥିଲା। ପରେ ଏହି ଘଟଣାରେ ପୋଲିସ କର୍ମଚାରୀଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

Leave A Reply

Your email address will not be published.