ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାତ୍ୟା ଦାନା ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଥିବାବେଳେ ବହୁ ସ୍ଥାନରେ ଘର ଦ୍ଵାର ଭାଙ୍ଗିବା ସହ ବଡ ବଡ ଗଛ ମଧ୍ୟ ଭାଙ୍ଗିପଡିଛି। ଏହାରି ମଧ୍ୟରେ ଆଜି ସକାଳୁ ଖଇରା ଥାନା ନିକଟରେ ରାସ୍ତା ଉପରେ ପଡିଥିବା ଏକ ଗଛକୁ ପିଟିଲା ବସ୍। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି |
ତେବେ ସୂଚନା ମୁତାବକ, ‘BT & BT’ ନାମକ ଏକ ଘରୋଇ ଆଜି ଭୋରରୁ ଯାତ୍ରୀଙ୍କୁ ଧରି ବାଲେଶ୍ୱର ଜିଲ୍ଲା ଔପଦାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ମାତ୍ର ଗାଣ୍ଡିବେଡ଼ଠାରେ ଏକ ବଙ୍କାଣି ମୁଣ୍ଡରେ ଏକ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇ ଯାଇଥିଲା। ଡ୍ରାଇଭରଜଣକ ଦ୍ରୁତ ଗତିରେ ଆସୁଥିବା ବେଳେ ଏହା ଜାଣି ପାରି ନ ଥିଲେ। ଫଲରେ ବସ୍ଟି ଗଛରେ ମାଡ଼ ହୋଇଥିଲା। ଡ୍ରାଇଭର ଜଣକ ଦ୍ରୁତ ଗତିରେ ଆସୁଥିବାବେଳେ ବସ୍ ଟି ଗଛରେ ପିଟି ହୋଇଯାଇଥିଲା।
ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ମାତ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି। ଏହାପରେ ଅନ୍ୟ ଏକ ବସ୍ର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯାଇଛି। ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିବା ବେଳେ ଗଛ ସମେତ ବସ୍କୁ ରାସ୍ତାରୁ ହଟାଇବାକୁ ପ୍ରୟାସ ଆମ୍ଭ କରିଛନ୍ତି। ଏଥିଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।