ଚିନ୍ତାରେ ଖାଉଟି, ଡାଲି ଦର ପରେ ଏବେ ଆକାଶ ଛୁଆଁ ଅଦା ଦର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଡାଲି ଦର ବୃଦ୍ଧି ପରେ ଏବେ ହୁ ହୁ ହୋଇ ବଢୁଛି ଅଦା ଦର ।  କିନ୍ତୁ ଅଦା କିଣିବାକୁ ପକେଟ୍‌ ଅନୁମତି ଦେଉନି । ହାଣ୍ଡିଶାଳକୁ ଯିବା ସମୟରେ ଅଦାର ମୂଲ୍ୟ ୨ ଶହ ଟପିଲାଣି । ଭଲ ଅଦା କିଣିଲେ ଖାଉଟିଙ୍କୁ କିଲୋ ୨୨୦ ଟଙ୍କା ଦେବାକୁ ପଡୁଛି । ଯାହାକୁ ନେଇ ଖାଉଟି ଚିନ୍ତାରେ ପଡିଛନ୍ତି ।

କୋରାପୁଟ ମୁଖ୍ୟତଃ ସାରା ଓଡ଼ିଶାକୁ ଅଦା ଯୋଗାଇଥାଏ । ଯଦିଓ କେବଳ କୋରାପୁଟ ଅମଳ ଉପରେ ବର୍ଷ ତମାମ୍‌ ନିର୍ଭରଶୀଳ କରିବା ସମ୍ଭବ ନୁହେଁ । ତେଣୁ ବେଙ୍ଗାଲୁରୁ, ସିଲିଗୁଡି, ଆନ୍ଧ୍ରପ୍ରଦେଶ ମୁଖ୍ୟତଃ ଓଡ଼ିଶାକୁ ଅଦା ଚାଲାଣ କରିଥାନ୍ତି । କଟକ ବଜାରକୁ ବିଚାରକୁ ନେଲେ ଏଠାକୁ ମଧ୍ୟ ରାଜ୍ୟ ବାହାରୁ ସିଧାସଳଖ ଅଦା ଆସି ପହଞ୍ଚିଥାଏ । ମାଲଗୋଦାମ ଓ ଛତ୍ରବଜାର ସମେତ ବିନୋଦବିହାରୀ, କୃଷକ ବଜାର, ନୂଆବଜାର ଆଦି ବିଭିନ୍ନ ସ୍ଥାନର ବ୍ୟବସାୟୀ ସିଧାସଳଖ ଅଦା ଟ୍ରେଡର୍‌ଙ୍କଠାରୁ କିଣିଥାନ୍ତି । ପରେ ହୋଲ୍‌ସେଲ୍‌ ମୂଲ୍ୟରେ ଖୁଚୁରା ବଜାରକୁ ଛାଡ଼ନ୍ତି ।

ଉପରୋକ୍ତ ସବୁ ବଜାରକୁ ମିଶାଇ ଦୈନିକ ପାଖାପାଖି ୧୦ କ୍ୱିଣ୍ଟାଲ୍‌ ଅଦା କାରବାର ହୁଏ । ଅଦାର ବଜାର ଦୃଷ୍ଟିରୁ ଦେଖିଲେ ଏହା ଏତେ ବଡ ନୁହେଁ । କିନ୍ତୁ ଚାହିଦା ରହିଥିବାରୁ ଏହାର ମୂଲ୍ୟ ଖାଉଟିଙ୍କ ଉପରେ ପ୍ରଭାବ ପକାଏ ।ଗତ କିଛି ଦିନ ଧରି ଅଦାର ମୂଲ୍ୟ ବଢିଚାଲିଛି । ସପ୍ତାହକ ତଳେ ଅଦାର ଖାଉଟି ମୂଲ୍ୟ ୧୨୦ ଟଙ୍କା ରହିଥିବା ବେଳେ ଆଜି ୨ ଶହ ପାର୍‌ ହୋଇଛି । ହୋଲସେଲ୍‌ ବଜାରରେ ଅଦା ମୂଲ୍ୟ କିଲୋପିଛା ୧୫୦ରୁ ୧୭୦ ଟଙ୍କା ରହିଛି । ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ଅଦା ସଢି ଯାଉଥିବାରୁ ବସ୍ତା ଲାଭ ଉଠାଇବାକୁ ହୋଲ୍‌ସେଲ୍‌ ପଏଣ୍ଟରେ ହିଁ ମୂଲ୍ୟ ବୃଦ୍ଧି ହେଉଛି । ତେବେ ଅଦାର ତିନୋଟି ଭେରାଇଟି ରହିଥିବାରୁ ସବୁର ମୂଲ୍ୟ ଭିନ୍ନ ଭିନ୍ନ ରହିଛି । ଫାଇନ୍‌ ତଥା ୧ ନମ୍ବର ଅଦାର ମୂଲ୍ୟ ୧୭୦ ଟଙ୍କା ରହିଥିବା ବେଳେ ଖୁଚୁରା ବଜାରରେ ଏହା କିଲୋ ପିଛା ପ୍ରାୟ ୨ ୨ ୦ ଟଙ୍କା ବିକ୍ରି ହେଉଛି ।

Leave A Reply

Your email address will not be published.