ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଏବେବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ସକାଳ ହେବା ମାତ୍ରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ତେବେ ଏହାରି ଭିତରେ କିପରି ସ୍କୁଲ ଖୋଲିବ, ସେ ନେଇ ଦ୍ଵନ୍ଦ ଲାଗିରହିଛି । ଖରାଛୁଟି ପରେ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।
ସମ୍ପୃକ୍ତ ଜିଲ୍ଲାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଚିରେ ରଖି ଏହି ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ଜୁନ୍ 21 ରେ ଖରାଛୁଟି ପରେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଥିଲା ଗଣଶିକ୍ଷା ବିଭାଗ । କିନ୍ତୁ ଏବେବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ଉତ୍ତାପ ସ୍ଥିତିର ସମୀକ୍ଷା କରିବେ ଏବଂ ସେହି ଅନୁଯାୟୀ ବିଦ୍ୟାଳୟ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।
ଗ୍ରୀଷ୍ମ ଅବକାଶକୁ ବଢାଇବା ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ଭାରତ ପାଣିପାଗ ବିଭାଗ (ଆଇଏମଡି) ରବିବାର ପୂର୍ବାନୁମାନ କରିଛି ଯେ ଆସନ୍ତା 3 ଦିନ ପାଇଁ ଦିନର ତାପମାତ୍ରା ସ୍ୱାଭାବିକଠାରୁ 4-7 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ। ଅଧିକାଂଶ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ତପମାତ୍ରା 45 ଡିଗ୍ରୀ ରହୁଥିବା ବେଳେ ଅସହ୍ୟ ଗୁଳୁଗୁଳି ସ୍ଥିତିକୁ ଆହୁରି ଜଟିଳ କରିଦେଇଛି ।
ସୂଚନାଯୋଗ୍ୟ, ରବିବାର ଓଡିଶାର 22 ଟି ସ୍ଥାନରେ ସର୍ବାଧିକ 40 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ସାତୋଟି ସ୍ଥାନରେ 45 ଡିଗ୍ରୀ ଉପରେ ରହିଛି ତାପମାତ୍ରା । ମନ୍ତ୍ରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ ଏବଂ ସେମାନଙ୍କ ସ୍ୱାର୍ଥରେ ନିଷ୍ପତ୍ତି ନେବେ ।