ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁବର୍ଣ୍ଣପୁରରେ ଅଘଟଣ । ଝିଅ ଘରକୁ କୁଣିଆ ହୋଇଆସିଥିବା ବେଳେ ବୋରଓ୍ବେଲରେ ଖସିପଡିଲେ ବୃଦ୍ଧା । 10 ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ବୃଦ୍ଧାଙ୍କୁ ଗଭୀର ବୋରଓ୍ବେଲ ଭିତରୁ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗାଁରେ ଏହି ଘଟଣା ଘଟିଛି । ମୃତ ବୃଦ୍ଧା ହେଉଛନ୍ତି ଦୁଃଖୀ ନାଏକ । ଝାଡୁ ତିଆରି ପାଇଁ ବେଣା ଆଣିବାକୁ ଯାଇଥିବା ବେଳେ ସେ ବୋରଓ୍ବେଲରେ ଖସି ପଡିଥିଲେ । ଅଗ୍ନିଶମ ବାହିନୀ ଦ୍ବାରା ସମାନ୍ତରାଳ ଗାତ ଖୋଳାଯାଇ ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ପରେ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ହସ୍ପିଟାଲ ନିଆଯାଇଥିଲା । ଅଗ୍ନିଶମ ବାହିନୀ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ର ମିଳିତ ଉଦ୍ୟମରେ ୨୦ଫୁଟ ଗଭୀର ବୋରଓ୍ବେଲରୁ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହେବା ପରେ ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ସମ୍ପୂର୍ଣ୍ଣ ସୂଚନା ଅନୁସାରେ , ବୃଦ୍ଧା ବୋରୱେଲରେ ଖସିପଡିବା ଖବର ପାଇବା ପରେ ସୋନପୁରରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଜେସିବି ମେସିନ ସାହାଯ୍ୟରେ ବୋରୱେଲର ଚାରି ପାଖରେ ମାଟି ଖୋଳା ଆରମ୍ଭ ହୋଇଥିଲା । ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ବୋରୱେଲ ପାଖରେ ସମାନ୍ତରଳ ଗାତ ଖୋଳାଯାଇଥିଲା । ଶେଷରେ ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରାଯାଇଥିଲା । ତେବେ ଉଦ୍ଧାର କାର୍ଯ୍ୟ ସମୟରେ ବୋରୱେଲରୁ ଏକ ସାପ ମଧ୍ୟ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ବୃଦ୍ଧାଙ୍କ ପାଖରେ ଥିବା ଏକ ଗାତରେ ସାପଟି ରହିଥିଲା । ଉଦ୍ଧାର ସାପଟି ବିଷଧର ହୋଇଥିବା ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି । ତେବେ ସାପ କାମୁଡାରୁ ନା ଶ୍ବାସରୁଦ୍ଧ ହୋଇ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି ।