ରାଜ୍ୟରେ ପୁଣି ବଢ଼ିଲା ଶୀତର ପ୍ରକୋପ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟରେ ପୁଣି ବଢ଼ିଲା ଶୀତର ପ୍ରକୋପ । ପ୍ରବଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ରବିବାର ୧୦ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସବୁଠୁ ଥଣ୍ଡା ସୁନ୍ଦରଗଡ଼ରୁ କିରେଇ ରହିଛି । ତେବେ ଆସନ୍ତା ୨ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ । ତେବେ ଆସନ୍ତା ୧୭ ଓ ୧୮ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ଜି ଉଦୟଗିରିରେ ୮, ରାଉରକେଲାରେ ୮.୭, କୋରାପୁଟରେ ୮.୯, ସୁନ୍ଦରଗଡ଼ରେ ୯, ଝାରସୁଗୁଡ଼ାରେ ୯.୩, ଫୁଲବାଣୀ, ରାଣିତାଲ ଓ ସିମିଳିଗୁଡ଼ାରେ ୯.୫, କେନ୍ଦୁଝରଗଡ଼ରେ ୯.୬ ଓ ଅନୁଗୁଳରେ ୧୦ ଡିଗ୍ରି ରେକର୍ଡ ହୋଇଛି। ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ଲାଗି ରହିବ। ୧୫ ତାରିଖ ସକାଳ ସମୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟରେ ଘନ କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୬ ଓ ୧୭ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

୧୭ରୁ ୧୯ ତାରିଖ ମଧ୍ୟରେ ଉତ୍ତର ଓ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୧୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଅଛି । ଆସନ୍ତା ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Comments are closed.