ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ । ମାନସିକଧାରୀ କାଉଡିଆମାନେ ପାଣି ଉଠାଇ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଜଳାଭିଷେକ କରୁଛନ୍ତି । ଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି କରୁଛନ୍ତି କାଉଡିଆ। ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣିଙ୍କ ପୀଠରେ ଶତାଧିକ ବୋଲବମ୍ ଭକ୍ତ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି।
ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର। ଅଧିକାଂଶ ପୀଠରେ ଗତକାଲିଠୁ ଅନେକ କାଉଡିଆ ପହଁଚିସାରିଛନ୍ତି | ତେବେ ଚଳିତ ବର୍ଷ ଶ୍ରାବଣ ମାସରେ ଦୁର୍ଲଭ ସଂଯୋଗ ଦେଖାଯାଇଛି । ପ୍ରଥମ ଦିନ ସୋମବାରରୁ ଆରମ୍ଭ ହୋଇଥିବା ବେଳେ ଶେଷ ଦିନ ମଧ୍ୟ ସୋମବାରରେ ଶେଷ ହେଉଛି । ସେହିପରି ଶ୍ରାବଣ ପ୍ରଥମ ସୋମବାରରେ ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆଜି କଟକ ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରରେ କାଉଡ଼ିଆ ଲମ୍ବା ଲାଇନରେ ଅପେକ୍ଷାକରି ଜଳାଭିଷେକ କରିଛନ୍ତି।।ଶ୍ରାବଣ ପ୍ରଥମ ସୋମବାରରେ ମନ୍ଦିରରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ ହୋଇଛି। ଧବଳେଶ୍ୱରରେ ମନ୍ଦିରରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କାଉଡ଼ିଆ ମାନେ ପ୍ଲାଷ୍ଟିକ କଳସରେ ପାଣି ନ ଢାଳିବାକୁ ନିୟମ ରହିଛି।
ଆଜି ଭୋର୍ ୪ଟାରୁ ବାବାଙ୍କ ମନ୍ଦିର ଖୋଲାଯାଇ ୧୦୮ କଳସରେ ଜଳ ଲାଗି କରାଯାଇଥିଲା। ଅଧିକାଂଶ ମହିଳା ଏବଂ ପୁରୁଷ ଏହି ମାସରେ ପଡୁଥିବା ସମସ୍ତ ସୋମବାରରେ ଭଗବାନ ମହାଦେବଙ୍କୁ ପୂଜା କରିବା ସହ ଉପବାସ ରଖିଥାଆନ୍ତି । ସୋମବାର ଉପବାସ ସମୟରେ ଲୋକମାନେ କେବଳ ଥରେ ଖାଦ୍ୟ ଖାଆନ୍ତି । ତାହା ମଧ୍ୟ ଶୁଦ୍ଧ ଶାକାହାରୀ ଖାଦ୍ୟ ହୋଇଥାଏ । କେବଳ ଏତିକି ନୁହେଁ, ଏହି ମାସରେ ଲୋକମାନେ ସାତ୍ତ୍ବିକ ଖାଦ୍ୟ ଖାଆନ୍ତି ।