ବଦଳିଲା ନବବାବୁଙ୍କ ପ୍ରତିମୂର୍ତ୍ତି, ତଥାପି ପିଛା ଛାଡ଼ିଲାନି ବିବାଦ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ(ବାପି)ଙ୍କ ବିକୃତ ପ୍ରତିମୂର୍ତ୍ତିକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଶାଣିତ ହେବା ପରେ ରାତାରାତି ପ୍ରତିମୂର୍ତ୍ତିକୁ ଭିନ୍ନ ଏକ ଆକୃତି ଦେଇଛି ଅନଗୋଳ ପ୍ରଶାସନ। ସାରା ଜୀବନ ହାତକଟା ସୂତାରେ ତିଆରି ଧୋତି ଏବଂ ଗଞ୍ଜିରେ ଜୀବନ ବିତାଇଥିବା ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ବିକୃତ ପୋଷାକ ପିନ୍ଧାଇ ଦିଆଗଲା। ସବୁଆଡ଼ୁ ବି‌ରୋଧ ହେଲା ପରେ ଭୁଲ ମାଗିଲେ ନଗରପାଳ। ପ୍ରତିମୂର୍ତ୍ତି ଭାଙ୍ଗି ଆଉ ଥରେ ଠିକ୍‌ ପୋଷାକ ପିନ୍ଧାଯିବ ବୋଲି କୁହାଗଲା। ରାତାରାତି ଭାଙ୍ଗି ପ୍ୟାଣ୍ଟକୁ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା। ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ ବିବାଦ ଥମୁନି। ନବବାବୁ ଆଣ୍ଠୁ ଲୁଚୁ ନ ଥିବା ଧୋତି ପିନ୍ଧୁଥିଲା ବେଳେ ଏଠାରେ ତାଙ୍କୁ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦିଆଯାଇଛି। ଓଡ଼ିଆମାନେ ଏମିତି ଧୋତି ପିନ୍ଧୁ ନ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ନବପ୍ରେମୀ। ଖୋଦ୍‌ ନବବାବୁଙ୍କ ଝିଅ କ୍ରିଷ୍ଣା ମହାନ୍ତି ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା ନବବାବୁଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଛନ୍ତି। ସରଳ ଜୀବନଯାବନ ପାଇଁ ପରିଚିତ ଗାନ୍ଧୀବାଦୀ ନବକୃଷ୍ଣ ଚୌଧୁରୀ ତାଙ୍କ ଜୀବନକାଳ ଭିତରେ ପ୍ୟାଣ୍ଟ, ସାର୍ଟ ପିନ୍ଧି ନ ଥିଲାବେଳେ ଏଠାରେ ତାଙ୍କୁ ପ୍ୟାଣ୍ଟ ଓ କୋର୍ଟ ପିନ୍ଧାଇ ଦିଆଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦର ସ୍ବର ଉଠିବା ପରେ ପୌରପାଳିକା ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ନବବାବୁଙ୍କୁ ଧୋତି ପିନ୍ଧାଇ ଫଟୋ ଛଡ଼ାଯାଇଛି। ଏହି ଫଟୋ ଦେଖିବା ପରେ ବିବାଦ ଆହୁରି ତେଜିଛି। କାରଣ ଧୋତିଟି ନବବାବୁଙ୍କ ପାଦ ପର୍ଯ୍ୟନ୍ତ ପଡ଼ିଛି। ଏପରିକି ପାଦ ବି ଅଧା ଘୋଡ଼େଇ ହୋଇ ରହିଛି। ଓଡ଼ିଶାର ଲୋକମାନେ ଏମିତି ଧୋତି ପିନ୍ଧୁ ନ ଥିଲାବେଳେ ପୌରପାଳିକା ଏହି ଧୋତି କେଉଁଠୁ ପାଇଲା ବୋଲି ନବପ୍ରେମୀ ପ୍ରଶ୍ନ କରିଛନ୍ତି। ନବବାବୁଙ୍କ ବିଭିନ୍ନ ଫଟୋରେ ସେ ଯେମିତି ଧୋତି ପିନ୍ଧୁଥିଲେ ଏହି ପ୍ରତିମୂର୍ତ୍ତି ମେଳ ଖାଉନି। ତେଣୁ ଏହାକୁ ନେଇ ତାଙ୍କ ଝିଅ କ୍ରିଷ୍ଣ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ପୌରପାଳିକାର ସତରେ ଯଦି ଆଗ୍ରହ ରହିଛି, ତେବେ ସେମାନେ ବାଜି ରାଉତ ଛାତ୍ରାବାସ ଆସି ନବବାବୁଙ୍କ ଏକ ଫଟୋ ସଂଗ୍ରହ କରି ସେହି ଅନୁସାରେ ପ୍ରତିମୂର୍ତ୍ତି ନିର୍ମାଣ କରିଥାନ୍ତେ। କିନ୍ତୁ ଏହା ନ କରି ବାରମ୍ବାର ବିକୃତ ପ୍ରତିମୂର୍ତ୍ତି କରିବା ଦ୍ବାରା ନବବାବୁଙ୍କ ଭଲ ପାଉଥିବା ଲୋକଙ୍କୁ ଆଘାତ ଦେଇଛି।

ନବବାବୁଙ୍କ ଆଦର୍ଶ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଗାନ୍ଧୀବାଦ ଥିଲା ତାଙ୍କର ଜୀବନ ସୂତ୍ର । ଏମିତିକି, ମୁଖ୍ୟମନ୍ତ୍ରୀ ଥିବା ସମୟରେ ବି ସେହି ସରଳ ଜୀବନଯାପନ ତାଙ୍କର ବ୍ୟକ୍ତିତ୍ବକୁ ପରିଭାଷିତ କରିଥିଲା। ହେଲେ, ତାଙ୍କ ଆବର୍ତ୍ତମାନରେ ଅନୁଗୁଳ ପୌର ପ୍ରଶାସନ ଏ ଗାନ୍ଧୀବାଦୀ ନେତାଙ୍କୁ ବିଲାତି ବାବୁ କରି ଦେଇଛି ।  ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୁଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ରତିମୂର୍ତ୍ତିରେ ବେକ ଚିପା ସାର୍ଟ, ବୁଟ୍‌ ସାଙ୍ଗକୁ ଯେଉଁଭଳି ଭାବରେ ପ୍ୟାଣ୍ଟ୍ ପିନ୍ଧାଇ ଫୁଲମାଳ ଦିଆଯାଇଛି, ସେଥିରୁ ଜିଲ୍ଲାର ମହାପୁରୁଷଙ୍କ ପ୍ରତି ଅନୁଗୁଳ ପୌରପାଳିକାର ଅସମ୍ମାନବୋଧତାକୁ କେବଳ ଦର୍ଶାଉ ନାହିଁ, ବରଂ ଅନୁଗୁଳର ପ୍ରଶାସନିକ ଡୋରି ସମ୍ଭାଳିଥିବା ବାବୁ ଅଫିସରମାନଙ୍କର ଜିଲ୍ଲାର ବରପୁତ୍ରମାନଙ୍କ ବିଷୟରେ କେତେ ଜ୍ଞାନ ରହିଛି, ତାହା ସ୍ପଷ୍ଟ କରୁଛି । ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତିଙ୍କ କହିବା ମୁତାବକ, କେବଳ ଶାସନରେ ଆସିବା ସମୟରେ ନୁହେଁ, କଲେଜ ବେଳୁ ତାଙ୍କର ଧୋତି ପ୍ରୀତି ରହିଥିଲା। ଧୋତି ପିନ୍ଧି ସେ ରେଭେନ୍‌ସା କଲେଜ ଯାଉଥିଲେ ।

Leave A Reply

Your email address will not be published.