ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରପୃଷ୍ଠରେ ଭାରତ ଇତିହାସ ସୃଷ୍ଟି କରିଛି । ଭାରତର ଚନ୍ଦ୍ର ଅଭିଯାନ ଅଗଷ୍ଟ ୨୩ରେ ସଫଳ ହୋଇଛି । ଏହାକୁ ନେଇ ସାରା ଦେଶ ଉତ୍ସବ ପାଳନ କରୁଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଇସ୍ରୋରେ ପହଂଚି ଚନ୍ଦ୍ରଯାନ ୩ ଅବତରଣ ହୋଇଥିବା ସ୍ଥାନକୁ ଶିବଶକ୍ତି ପଏଣ୍ଟ ବୋଲି ନାମକରଣ କରିଥିଲେ । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି ।
ଏତିକି ବେଳେ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ଏକ ଅଜବ ଦାବି କରିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ ରବିବାର ଦିନ ସ୍ୱାମୀ ଚକ୍ରପାଣି ଦାବି କରିଛନ୍ତି କି ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରାଯାଉ ଓ ଶିବଶକ୍ତି ପଏଣ୍ଟକୁ ହିନ୍ଦୁରାଷ୍ଟ୍ରର ରାଜଧାନୀ ଭାବେ ମଧ୍ୟ ଘୋଷଣା କରାଯାଉ । ଏନେଇ ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । କେବଳ ସେତିକି ନୁହେଁ ସ୍ୱାମୀ ଚକ୍ରପାଣି କହିଛନ୍ତି କି, ଆଗାମୀ ଦିନରେ ସେ ଶିବଶକ୍ତି ପଏଣ୍ଟରେ ଭଗବାନ ଶିବ, ମାତା ପାର୍ବତୀ ଓ ଦେବତା ଗଣେଷଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବେ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।