ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଇବର କ୍ରାଇମ୍ର ସାଂଘାତିକ ରୂପ ସାମନାକୁ ଆସିଛି। ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିବାର ଧମକ ଦେଇ ଜଣେ ଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ଆରେଷ୍ଟ କଲେ। ୧୫ ମିନିଟ୍ରେ ଲକ୍ଷେ ଟଙ୍କା ନ ଦେଲେ ଫଟୋ ସୋଶାଲ ମିଡିଆରେ ଛାଡ଼ିବାର ଧମକ ଦେଲେ। ଏପରି ଶକ୍ତ ଝଟକାକୁ ସହି ନ ପାରି ଟଳି ପଡ଼ିଲେ ଶିକ୍ଷୟିତ୍ରୀ । ଉତ୍ତରପ୍ରଦେଶର ଆଗ୍ରାଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି।
ସୂଚନା ମୁତାବକ, ମାଳତୀ ବର୍ମା ସ୍କୁଲରେ ଥିବା ବେଳେ ତାଙ୍କ ନମ୍ବରକୁ ଏକ ହ୍ୱାଟସ୍ ଆପ୍ କଲ୍ ଆସିଥିଲା। ଡିପିରେ ପୁଲିସ୍ ବର୍ଦ୍ଦିରେ ଥିବା ଜଣଙ୍କ ଫଟୋ ଲାଗିଥିଲା। ଶିକ୍ଷୟିତ୍ରୀଜଣକ ଫୋନ୍ ଉଠାଇବାରୁ ତୁମ ଝିଅ ସେକ୍ସ ରାକେଟରେ ଧରା ପଡ଼ିଛି ଓ ତା’ର ଅଶ୍ଳୀଳ ଭିଡିଓ ଆମ ପାଖରେ ଅଛି ବୋଲି ଶୁଣିବାକୁ ମିଳିଥିଲା। ଏଥିସହ ୧୫ ମିନଟ୍ରେ ଲକ୍ଷେ ଟଙ୍କା ନ ଦେଲେ ଉକ୍ତ ଭିଡିଓ ଭାଇରାଲ କରିବାର ଧମକ ବି ମିଳିଥିଲା। ଏହି କଥାକୁ ମହିଳାଜଣକ ଯେପରି ବିଶ୍ୱାସ କରିବେ, ତେଣୁ ଅପରପାର୍ଶ୍ୱରୁ ତାଙ୍କ ଝିଅ ସ୍ୱରରେ ମମି ମୋତେ ବଞ୍ଚାଇ ଦିଅ ବୋଲି ଶୁଣିବାକୁ ମିଳିଥିଲା। ପୀଡିତା ମାଳତୀ ବର୍ମା ସେପ୍ଟେମ୍ବର ୩୦ ତାରିଖରେ ନିଜକୁ ପୁଲିସ୍ ଅଧିକାରୀ ବୋଲି କହୁଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ଏକ କଲ୍ ପାଇଲେ।
ବ୍ୟକ୍ତି ଜଣକ ମାଳତୀଙ୍କୁ କହିଥିଲେ କି ତାଙ୍କ ଝିଅର ସେକ୍ସ ଭିଡିଓ ଭାଇରାଲ୍ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ବାସ୍ତବରେ କଲ୍ କରିଥିବା ବ୍ୟକ୍ତି ଜଣକ ବ୍ଲାକ୍ମେଲ୍ କରିବା ପାଇଁ ଏମିତି ମିଛ କହିଥିଲେ। ଯଦି ସେ ୧ ଲକ୍ଷ ଟଙ୍କା ନଦିଅନ୍ତି ତେବେ ସେ ଭିଡିଓ ପ୍ରଘଟ କରିଦେଲେ ବୋଲି ମାଳତୀଙ୍କୁ ଧମକ ଦେଇଥିଲେ। ସେ ଉକ୍ତ ବ୍ୟକ୍ତିଙ୍କଠାରୁ କଲ ପାଇବା ପରେ ସେ ଭୟଭୀତ ହୋଇ ଯାଇଥିଲେ। ତା’ର କିଛି ସମୟ ପରେ ମାଳତୀ ଅସୁସ୍ଥ ଅନୁଭବ କରିଥିଲେ। ତା’ର କିଛି ସମୟ ପରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।