ଓଡ଼ିଆ ନ୍ୟୁଜ୍ : ଜାଲ ଦସ୍ତଖତ କରି ଚଳୁ କରିଦେଲା କୋଟିଏ। ଜିଲ୍ଲା ଉନ୍ନୟନ କାର୍ଯ୍ୟାଳୟ ତଥା ଜିଲ୍ଲା ପରିଷଦ ଅଧୀନରେ ଥିବା ରାୟଗଡ଼ା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା କର୍ଯ୍ୟାଳୟରେ ଜାଲ ଦସ୍ତଖତ କରି କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ଆତ୍ମସାତ ହୋଇଥିବା ରାୟଗଡ଼ା ଥାନାରେ ଅଭିଯୋଗ ହୋଇଛି। ଡୁଡ଼ା କାର୍ଯ୍ୟାଳୟର ଜଣେ ଅଧିକାରୀ ବିନୟ ହରିଜନ ସରକାରୀ ଅର୍ଥ ପ୍ରାୟ ୧ କୋଟି ୯ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନସଫର୍ କରି ଫେରାର ହୋଇ ଯାଇଥିବା ଜଣାପଡିଛି ଏହି ଘଟଣା ଗତ ୧୦ ତାରିଖରେ ସାମ୍ନାକୁ ଆସିଥିବାବେଳେ ୧୮ ତାରିଖ ଦିନ ଏନେଇ ରାୟଗଡ଼ା ଡିଆରଡିଏ ପକ୍ଷରୁ ଟାଉନ୍ ଥାନାରେ ମାମଲା ରୁଜୁ କରାଯାଇଛି। ଜାଲିଆତି କରି ସରକାରୀ ଅର୍ଥକୁ ନିଜ ଏକାଉଣ୍ଟରେ ଟ୍ରାନସଫର୍ କରିବା ପରେ ବାବୁ ଜଣକ ନିଜ କୋଠରୀରେ ତାଲା ପକାଇ ଫେରାର୍ ହୋଇଯାଇଥିଲେ। ଏଯାଏଁ ମୋବାଇଲ ଫୋନ୍ ବନ୍ଦ କରି ବିନୟ ହରିଜନ ଫେରାର ଥିବା କୁହାଯାଉଛି।
ବିନୟ ହରିଜନ ରାୟଗଡ଼ା ନଗର ଉନ୍ନୟନ ସଂସ୍ଥା, ଡୁଡାରେ ପରିଚାଳନା ସୂଚନା ପ୍ରଣାଳୀ ବିଶେଷଜ୍ଞ ତଥା କେସିଅର ଭାବେ ଦୀର୍ଘ ଦିନ ହେବ କାମ କରୁଥିଲେ। ତେବେ ଏହି ଅର୍ଥ ସେ କେବେଠାରୁ ହଡ଼ପ କରୁଥିଲେ ତାହାର ସବିଶେଷ ସୂଚନା ବିଭାଗୀୟ ଅଧିକାରୀ କିମ୍ବା ପୁଲିସ ପ୍ରଦାନ କରୁନାହାନ୍ତି। ବିନୟ ହରିଜନ ଜଣେ ଆଉଟ ସୋର୍ସିଙ୍ଗ କର୍ମଚାରୀ ହୋଇଥିଲେ ମଧ୍ୟ କିଭଳି ଆକାଉଣ୍ଟରୁ ଏତେ ପରିମାଣରେ ଟଙ୍କା ହଡ଼ପ କରିବାରେ ସମର୍ଥ ହେଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିନୟ ହରିଜନ ସହରାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଓ ଏଲଇଡି ଟିଭି ପରିଚାଳନା କଥା ବୁଝୁଥିଲେ ଏବଂ ଡୁଡ଼ା ଆକାଉଣ୍ଟକୁ ଗତ ୨ ବର୍ଷ ହେଲା ଯୋଜନା ବାବଦରେ ଅନୁଦାନ ଆସିନାହିଁ।