ରାଜ୍ୟରେ ଏକ ମାସ ମଧ୍ୟରେ ଆସିବ ନୂଆ ଓଡିଶା ଆପାର୍ଟମେଂଟ ଓନରସିପ ଆକ୍ଟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଏକ ମାସ ମଧ୍ୟରେ ଆସିବ ନୂଆ ଓଡିଶା ଆପାର୍ଟମେଂଟ ଓନରସିପ ଆକ୍ଟ। ହାଇକୋର୍ଟରେ ରେରା ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର। ଅଗଷ୍ଟ ୨୨ ରେ ବିଡିଏ ପକ୍ଷରୁ ଏକ ଆପାର୍ଟମେଂଟ ଓନରସିପ ଆସୋସିଏସନକୁ ଦିଆଯାଇଛି ରେଜିଷ୍ଟ୍ରେସନ। ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ଏଭଳି ରେଜିଷ୍ଟ୍ରେସନ ଅନୁମତି ଯୋଗୁଁ ହାଇକୋର୍ଟଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ବିଡିଏର ସଚିବଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇ ଥିବା ବେଳେ ପରବର୍ତ୍ତୀ ଶୁଣାଣି ସମୟରେ ହାଜର ହେବାକୁ କୁହାଯାଇଛି। ଆପାର୍ଟମେଂଟ ନିର୍ମାଣ କରି ବିକ୍ରୀ କରୁଥିବା ବିଲଡର ମାନେ ଏଣିକି ସୋସାଇଟି ରେଜିଷ୍ଟ୍ରେସନ ନଥିଲେ ଆପାର୍ଟମେଂଟ ବିକ୍ରୀ କରି ପାରିବେ ନାହିଁ ବୋଲି ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

ବିଲଡରଙ୍କ ଶୋଷଣର ଶିକାର ହୋଇଥିବା ଜଣେ ଆବେଦନକାରୀଙ୍କ ଦ୍ଵାରା ଆଗତ ପିଟିସନର ଶୁଣାଣି କରି ରେରା ଆଇନ ସଠିକ ଭାବରେ ପାଳନ କରି ନଥିବା ଆପାର୍ଟମେଂଟର ରେଜିଷ୍ଟ୍ରେସନ ନ କରିବାକୁ ଇନିସ୍ପେକ୍ଟର ଅଫ ରେଜିଷ୍ଟ୍ରେସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ। ରିଅଲ ଇଷ୍ଟେଟ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ ଆକ୍ଟ ୨୦୧୬ ଅନୁଯାୟୀ ଆପାର୍ଟମେଂଟରେ ଫ୍ଲାଟରେ ଥିବା ଫ୍ଲାଟଟି କିଣିଥିବା ଲୋକଙ୍କ ନାମରେ ରେଜିଷ୍ଟ୍ରେସନ ହେବାର ନିୟମ ଥିବାବେଳେ ସାଧାରଣ ଅଞ୍ଚଳ ଯେମିତିକି ସିଡ଼ି, ପାର୍କ, ଖୋଲା ସ୍ଥାନ ଆପାର୍ଟମେଂଟ ଆସୋସିଏସନ ନାମରେ ରେଜିଷ୍ଟ୍ରେସନ ହେବାର ବ୍ୟବସ୍ଥା ରହିଛି। କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ରିଅଲ ଇଷ୍ଟେଟ ସଂସ୍ଥା ଗୁଡ଼ିକ ଆପାର୍ଟମେଂଟରେ ଆସୋସିଏସନ କରୁ ନାହାନ୍ତି। ଯଦି ବି କରୁଛନ୍ତି, ତେବେ ସର୍ବ ସାଧାରଣ ଅଞ୍ଚଳ ଗୁଡିକୁ ଆସୋସିଏସନ ନାମରେ ବିଲଡର ଗୁଡିକ ରେଜିଷ୍ଟ୍ରେସନ କରାଉ ନାହାନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ର ବୈଧତାକୁ ଏହି ମାମଲାରେ ଚାଲେଞ୍ଜ କରାଯାଇଛି। ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି କରିଥିଲେ।

ରାଜ୍ୟ ସରକାର ଓ ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟାରି ଅଥରିଟି(ଓରେରା)ର ମିଳିତ ବୈଠକ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଥିବା ବେଳେ ସେଥିରେ ସଂଶୋଧନ ସମ୍ଭବ ନୁହେଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ରିଅଲ୍‌ ଇଷ୍ଟେଟ୍‌ (ରେଗୁଲେସନ୍ ଆଣ୍ଡ୍ ଡେଭେଲପମେଣ୍ଟ) ଆଇନ (ରେରା), ୨୦୧୬ର ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀର କେତେକ ନିୟମ ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ରହିଛି। ଏଥି ସହିତ ଆପର୍ଟମେଣ୍ଟ ସଂପର୍କିତ ବିକ୍ରି କବଲା କାର୍ଯ୍ୟକାରୀ ବେଳେ ରେରା ଆଇନ ଓ ଏ ସଂପର୍କିତ ନିୟମ ପାଳନ ସୁନିଶ୍ଚିତ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୭ କୁ ଧାର୍ଯ୍ୟ କରାଯାଇଛି। ଏସ୍‌. ମିଶ୍ର ଓ ବିମଳେନ୍ଦୁ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।  ୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣ୍ରୟନ ହୋଇଥିବା ବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା। ଏହାପରେ ୨୦୧୬ରେ ରିଅଲ୍‌ ଇଷ୍ଟେଟ୍‌ କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା।

ରେରା ଆଇନ ଅନୁସାରେ କୌଣସି ଆପର୍ଟମେଣ୍ଟରେ ଫ୍ଲାଟ କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ୍ ଗଠନ କରିପାରିବେ। ଏହାର ଅର୍ଥ ଆପର୍ଟମେଣ୍ଟ କ୍ରୟ ସଂପର୍କିତ ଦଲିଲ କାର୍ଯ୍ୟକାରୀ ପୂର୍ବରୁ ଏପରି ଆସୋସିଏସନ୍ କରି ହେବ। ଯଦି ଫ୍ଲାଟ୍‌ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଂଘନ ହୁଏ ତେବେ ଏପରି ଆସୋସିଏସନ୍ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ। ରେରା ଆଇନ ବଳବତ୍ତର ରହିଥିବା ବେଳେ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ। ଏ ସଂପର୍କିତ ୧୯୯୨ର ନିୟମାବଳୀରେ ସଂଶୋଧନ କରିଥିଲେ ସରକାର।

ଆପର୍ଟମେଣ୍ଟର ଅତି କମରେ ୮ଟି ଫ୍ଲାଟ୍‌ର ବିକ୍ରି ପରେ ଆପର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ୍ କରି ହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା। ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚାରଣ କରୁଛି ଓ ଆପର୍ଟମେଣ୍ଟ ମାଲିକଙ୍କ ସ୍ବାର୍ଥବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆପର୍ଟମେଣ୍ଟର ସାଧାରଣ ଅଞ୍ଚଳ(କମନ୍ ଏରିଆ) ମାଲିକମାନଙ୍କୁ ନେଇ ଗଠିତ ଆସୋସିଏସନ୍ ନାଁରେ ପଞ୍ଜିକୃତ ହେବା କ୍ଷେତ୍ରରେ ସଂଶୋଧିତ ନିୟମାବଳୀ ବାଧା ସୃଷ୍ଟି କରୁଛି। ଏପରି ସଂଶୋଧିନ ନିୟମାବଳୀକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ହାଇକୋର୍ଟରେ ଏହି ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.