ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରମ୍ବାର ବାରମ୍ବାର ବିମାନ ବାତିଲ ହେବା ପରେ ତାତିଛନ୍ତି ଯାତ୍ରୀ। ଅସନ୍ତୋଷ ପ୍ରକାଶ କରିବା ସହ ବିମାନ ବନ୍ଦରରେ ଧାରଣାରେ ବସିଛନ୍ତି ୬୦ରୁ ଅଧିକ ଯାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ । ସୂଚନା ମୁତାବକ, ବିମାନଟି ଗତକାଲି ମଧ୍ୟ ବାତିଲ ହୋଇଥିଲା। ତେବେ ଏହା ଗୁରୁବାର ସକାଳ ୮ଟା ୪୫ରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥାନ୍ତା। କିନ୍ତୁ ଏହାକୁ ପୁଣି ବାତିଲ କରାଯାଇଥିଲା। ଯାହାଫଳରେ ଯାତ୍ରୀ ଅସନ୍ତୋଷ ହୋଇଥିଲେ |
ଭୁବନେଶ୍ୱରରୁ ହାଇଦ୍ରାବାଦ ଯିବାକୁ ଥିବା ବିମାନ IX 2932 ଗତକାଲି ସକାଳ ୯ ଟା ୫୫ରେ ଥିବାବେଳେ କୌଣସି କାରଣ ପାଇଁ ବାତିଲ ହୋଇଥିଲା। ଏହି ବିମାନ ଆଜି ସକାଳ ୮ଟା ୪୫କୁ ଧାର୍ଯ୍ୟ କରାଯାଇଥିଲା। ଆଜି ସକାଳେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ। ହେଲେ ଆଜି ବି ସେହି ବିମାନ ବାତିଲ ହୋଇଯାଇଥିଲା। ବାରମ୍ବାର ବାରମ୍ବାର ବିମାନ ବାତିଲ ହେବା ଯୋଗୁ ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇ ନପାରିବାରୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଯାତ୍ରୀମାନେ ବିମାନବନ୍ଦର ୬ ନମ୍ବର ଗେଟ୍ରେ ହୋହଲ୍ଲା କରିବା ସହ ଧାରଣାରେ ବସିଛନ୍ତି। ଏହି ଘଟଣା ପରେ ଗାର୍ଡମାନେ ପହଞ୍ଚି ଯାତ୍ରୀମାନଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି। ତେବେ ଏହାକୁ ନେଇ ବିମାନ କର୍ତ୍ତୃପକ୍ଷ କହିଛନ୍ତି, ବୈଷୟିକ ତ୍ରୁଟି ଯୋଗୁଁ ହାଇଦ୍ରାବାଦରୁ ଏୟାରକ୍ରାଫ୍ଟ ନଆସିବା କାରଣରୁ ଗତକାଲି ସକାଳେ ୭.୫୫ ଯିବାକୁ ଥିବା ବିମାନ ବାତିଲ୍ କରାଯାଇଥିଲା । ଆଜି ବିମାନ ଆସିବାରେ ବିଳମ୍ବ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ବେଳେ ବର୍ତ୍ତମାନ ହାଇଦ୍ରାବାଦ ଯିବାକୁ ଥିବା ବିମାନ ଭୁବନେଶ୍ବରରେ ପହଞ୍ଚିବା ପରେ ସ୍ଥିତିରେ ସୁଧାର ଆସିଛି ।
Comments are closed.