କାଲି ମୁଖିଆ ବାଛିବେ ଝାରସୁଗୁଡା ବାସୀ, ଜାଣନ୍ତୁ କିପରି ରହିଛି ବ୍ୟବସ୍ଥା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍‌ ଗ୍ରହଣ ହେବ । ୧୦ ତାରିଖ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଝାରସୁଗୁଡାର ମୁଖିଆ ବାଛିବେ ସାଧାରଣ ଜନତା । ଝାରସୁଗୁଡା ବାଜି ଜିତିବା ପାଇଁ ତିନି ପ୍ରମୁଖ ଦଳର ନେତା ଓ କର୍ମୀ କଳ ବଳ କୌଶଳ ସବୁ ଲଗାଇ ଦେଇଛନ୍ତି । ଗତକାଲି ପ୍ରଚାର ଶେଷ ହୋଇଥିବାରୁ ପ୍ରଚାର ମଇଦାନ ଶାନ୍ତ ପଡିଛି । ସାଜ ସରଞ୍ଜାମ ସହ ପୋଲିଂ ପାର୍ଟି ବୁଥରେ ପହଂଚିଛନ୍ତି । ଆସନ୍ତାକାଲିର ଭୋଟ ପାଇଁ ୧୦୬ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । କିପରି ଭୋଟ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇ ପାରିବ , ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ଆସନ୍ତାକାଲିର ଭୋଟ ପାଇଁ ୨୫୩ଟି ମତଦାନ କେନ୍ଦ୍ର ହୋଇଛି । ୧୦୬ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । ୨୫୩ଟି ଯାକ ବୁଥରେ ପ୍ରଥମଥର ପାଇଁ ୱେବ୍‌ କାଷ୍ଟିଂର କରାଯାଇଛି ବ୍ୟବସ୍ଥା । ମୋଟ୍‌ ୨୬ଟି ପିଙ୍କ ବୁଥ୍‌ ଓ ୪୦ଟି ମଡେଲ ବୁଥ୍‌ କରାଯିବା ସହ ଉପନିର୍ବାଚନ ପରିଚାଳନା ପାଇଁ ମୋଟ୍‌ ୧୧୯୪ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ୨୫୩ଟି ମତଦାନ କେନ୍ଦ୍ରରେ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଉପନିର୍ବାଚନ ମୈଦାନରେ ଏଥର ମୋଟ ୯ ଜଣ ପ୍ରାର୍ଥୀ । ପୂରା ନିର୍ବାଚନ ମଣ୍ଡଳୀକୁ ୫ଟି ଜୋନରେ ବିଭକ୍ତ କରାଯାଇଛି । ଓଡିଶା ପୋଲିସର ୧୯ ପ୍ଲାଟୁନ୍‌ ଫୋର୍ସ ସହ ୩ ଶହ ଓଆର୍‌ କନେଷ୍ଟବଳ, ୧୫୦ ହୋମଗାର୍ଡ ଏବଂ ପାଖାପାଖି ଶହେ ଜଣ ଅଫିସରଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷାରେ ନିୟୋଜିତ କରାଯାଇଛି । ତେବେ ଝାରସୁଗୁଡାରେ ଜନତା କାହା ମୁଣ୍ଡରେ ସୁନା କଳସ ଢାଳିବେ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.