ପୁରୀ(ଓଡ଼ିଆ ନ୍ୟୁଜ୍): ଆଜି ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନରେ ୪ ଘଣ୍ଟା ପାଇଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ତେଣୁ ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ ସର୍ବ ସାଧାରଣ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଦ୍ଵିତୀୟ ଭୋଗମଣ୍ଡପ ନୀତି ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ଗୁପ୍ତ ସେବା କରିବେ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଁଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଏ।