ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ପାରାଦୀପରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପାରାଦୀପର ଦୋଛକିରେ କାର୍ଯ୍ୟରତ ଥିବା ଜଣେ ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।
ମୃତ ହୋମଗାର୍ଡ ହେଲେ ସ୍ଥାନୀୟ ବାଲଡିହ ଗ୍ରାମର ରାଜନ ପ୍ରଧାନ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉଭୟ ପାରାଦୀପ – କଟକ ଓ ଚଣ୍ଡିଖୋଲ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ। ଆଜି ଭୋରରୁ ଧାଡ଼ି ଭାଙ୍ଗି ଯାଉଥିବା ଟ୍ରକକୁ ହୋମଗାର୍ଡ ରାଜନ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଟ୍ରକ ଧକ୍କା ଦେଇ ପଳାଇଥିଲା। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଘଟଣାସ୍ଥଳରେ ଶତାଧିକ ବାଲିଡିଆ ଗ୍ରାମବାସୀ ପହଞ୍ଚିଥିବା ବେଳେ ଉତ୍ତେଜନା ଦେଖାଦେଇଛି। ତୁରନ୍ତ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ସ୍ଥିତି ନିୟନ୍ତ୍ରଣକୁ ଆସି ନ ଥିବା ଜଣାଯାଇଛି।