ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶ ପାଳିବ ‘ସମ୍ବିଧାନ ହତ୍ୟା ଦିବସ’ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରତିବର୍ଷ ଜୁନ ମାସ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟର (X) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଏଣିକି ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଘୋଷଣା କରିଛନ୍ତି।
୧୯୭୫ ଜରୁରିକାଳୀନ ପରିସ୍ଥିତିର ଅମାନୁଷିକ ଯନ୍ତ୍ରଣା ସହିଥିବା ସମସ୍ତଙ୍କ ଅବଦାନକୁ ଏହି ଦିବସ ମନେ ପକାଇବ ବୋଲି ଶାହ କହିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ଏଭଳି ପଦକ୍ଷେପକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ କଡ଼ା ବିରୋଧ କରିଛନ୍ତି। ‘୧୯୭୫ ମସିହା ଜୁନ୍ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦୀ ମାନସିକତାର ଖୋଲା ପ୍ରଦର୍ଶନ କରି ଦେଶ ଉପରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରର ଶ୍ବାସରୁଦ୍ଧ କରିଦେଇଥିଲେ। ଜନତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ନେଇ ବିବାଦ ଘେରକୁ ଆସିଥିଲେ ଆଇରନ ଲେଡି ।
ନିକଟରେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନର ମିଳିତ ଗୃହକୁ ସମ୍ବୋଧିତ ବେଳେ ରାଷ୍ଟ୍ରପତି ମଧ୍ୟ ଏହି ପ୍ରସଙ୍ଗ ଦୋହରାଇଥିଲେ । ‘ଏମରଜେନ୍ସି ସମ୍ବିଧାନ ଉପରେ ସିଧା ଆକ୍ରମଣର ଏକ କଳା ଅଧ୍ୟାୟ’ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେଣୁ ଏଦି ଦିନକୁ ଭାରତ ସରକାର ପ୍ରତିବର୍ଷ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।” ସେପଟେ ଶାହଙ୍କ ଏହି ଟ୍ବିଟକୁ ରିଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି କଂଗ୍ରେସର ଦମନକାରୀ ପଦକ୍ଷେପକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।