ଏହି ୧୪ ପ୍ରକାର ଔଷଧ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ୧୪ ପ୍ରକାର ମିଶ୍ରଣ ଔଷଧ(କମ୍ବିନେସନ ଡ୍ରଗ୍‌)ବ୍ୟବହାର ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ  ପ୍ରତିବନ୍ଧକ ଲଗାଇଛନ୍ତି । ଏହି ୧୪ ପ୍ରକାର ଔଷଧରେ ଅନାବଶ୍ୟକ ଭାବେ ଅନ୍ୟ କେତେକ ଔଷଧକୁ ମିଶ୍ରଣ କରାଯାଇ ଗୋଟିଏ ଔଷଧ ପ୍ରସ୍ତୁତ କରାଯାଇଛି । ଏହିଭଳି ଭାବେ ବିଭିନ୍ନ କମ୍ପୋଜିସନ୍‌ର ୧୪ ପ୍ରକାର ଔଷଧକୁ ବାରଣ କରାଯାଇଛି, ଯାହାକି ଅନାବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।ବିଶେଷ କରି ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ ଏହି ମିଶ୍ରିତ ଔଷଧକୁ ବ୍ୟବହାର କରାଯାଉଛି ।

କୌଣସି କମ୍ପାନୀ ବିଜ୍ଞପ୍ତିରେ ପ୍ରକାଶିତ ଏହି ପ୍ରତିବନ୍ଧିତ ଔଷଧ ବିକ୍ରୀ କରନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚେତାବନୀ ଦେଇଛି । ତେବେ ଏହି ବିଜ୍ଞପ୍ତି ଉପରେ ଆପତ୍ତି ଉଠାଇ କିଛି କମ୍ପାନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଫିକ୍ସ ଡୋଜ୍‌ ଡ୍ରଗ୍‌ କମ୍ବିନେସନ୍‌(ଏଫ୍‌ଡିସି) ଓ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ଏହି ୧୪ ପ୍ରକାର ଔଷଧ ବ୍ୟବହର ନକରିବାକୁ କହିଛନ୍ତି । ବିଶେଷ କରି କିଛି କମ୍ପାନୀ ଏହି ଔଷଧଗୁଡ଼ିକୁ ଅଧିକ ମୂଲ୍ୟରେ ବିକ୍ରି କରିବା ଲାଗି ଏଭଳି ଚଞ୍ଜକତା କରୁଛନ୍ତି ବୋଲି ଅଭିଯୋଗ ହୋଇଆସୁଥିଲା ।

ଡ୍ରଗସ୍‌ ଇନ୍ସପେକ୍ଟର ଚନ୍ଦନ ଗିରି କହିଛନ୍ତି, କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ମେଡିସିନ୍‌ ଦୋକାନୀକୁ ଏହି ୧୪ଟି ମେଡିସିନ୍‌ ବିକ୍ରିରେ ପ୍ରତିବନ୍ଧକ ଲଗାଯାଇଛି । ଯେଉଁ ଦୋକାନୀଙ୍କ ପାଖରେ ଏହି ମେଡିସିନ୍‌ ରହିଛି, ତାହାକୁ କମ୍ପାନୀକୁ ଫେରାଇ ଦେବାକୁ କୁହାଯାଇଛି । ଅନ୍ୟଥା ଡ୍ରଗ୍‌ସ ଆଣ୍ଡ କସ୍‌ମେଟିକ୍‌ ଆକ୍ଟ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଇନ୍ଦ୍ରମଣି ଜେନା କହିଛନ୍ତି, ମୁନାଫା କମାଇବାକୁ ବିଭିନ୍ନ କମ୍ପାନୀ ଏଭଳି କରୁଛନ୍ତି । ଉଦାହରଣ ସ୍ୱରୂପ, ନିମେସୁଲାଇଡ୍‌ରେ ମିଶ୍ରଣ ହୋଇଛି ପାରାସିଟାମଲ୍‌ । ଯାହାକି ଏହି ମେଡିସିନ୍‌ରେ ଦୁଇଟି ଜ୍ୱର ଭଲ କରିବାର କ୍ଷମତା ରହିଛି ।

ହେଲେ ଏହା କିନ୍ତୁ ରୋଗୀଙ୍କ ପାଇଁ କ୍ଷତିକାରକ । ଜ୍ୱର ହେଲେ କେବଳ ଜ୍ୱର ପାଇଁ ଔଷଧ ଖାଇବା ଉଚିତ୍‌ । କିନ୍ତୁ କିଛି ଔଷଧରେ ଜ୍ୱର ସହିତ କଫ ଔଷଧ ମିଶି ଆସୁଛି । ଯେଉଁ ରୋଗୀଙ୍କ କଫ ସମସ୍ୟା ନାହିଁ, ସେ ଏଭଳି ଔଷଧ ଖାଇବା ଅନାବଶ୍ୟକ । ପ୍ରକୃତରେ ମୂଳ ଜେନେରିକ୍‌ ଔଷଧ ପ୍ରସ୍ତୁତ କରିବା ଦରକାର । ଯାହାକି ଡାକ୍ତର ରୋଗୀଙ୍କୁ ଦେଖି କେଉଁ କେଉଁ ଔଷଧ ଖାଇବା ଦରକାର ପରାମର୍ଶ ଦେବେ ବୋଲି ସେ କହିଛନ୍ତି । ୧୪ ଔଷଧ ମଧ୍ୟରେ ନିମେସୁଲାଇଡ୍‌ ସହିତ ପାରାସିଟାମଲ୍‌ ମିଶ୍ରଣ ହୋଇଛି । ଆମୋକ୍ସିସିଲିନ୍‌ ସହିତ ବ୍ରାମହକ୍ସାଇନ୍‌, ଫୋଲ୍‌କୋଡାଇନ୍‌ ସହିତ ପ୍ରୋମେଟାଜାଇନ୍‌, କ୍ଲୋରଫେନିରାମାଇନ୍‌ ମିଲେଏଟ୍‌ ସହିତ ଡେକ୍ସଟ୍ରୋମେଥାରଫାନ୍‌ ଓ ଗୁଏଫେନେସିନ୍‌ ମିଶ୍ରଣ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଥିଲାବେଳେ ଆମୋନିୟମ୍‌

କ୍ଲୋରୋଇଡ୍‌ ସହିତ ମେନ୍ଥଲ, କ୍ଲୋରଫେନିରାମାଇନ୍‌ ମାଲେଏଟ୍‌ ସହିତ କ୍ଲୋରାଇଡ୍‌, ଆମୋମିୟମ୍‌ କ୍ଲୋରାଇଡ୍‌ ସହିତ ବ୍ରୋମ୍‌ହକ୍ସାଇନ୍‌ ଓ ଡେକ୍ସଟ୍ରୋମେଥାରଫାନ୍‌, ବ୍ରୋମହକ୍ସାଇନ୍‌ ସହିତ ଡେକ୍ସଟ୍ରୋମେଥାରଫାନ୍‌ ଓ ଆମୋନିୟମ୍‌ କ୍ଲୋରାଇଡ୍‌, ପାରାସିଟାମାଲ୍‌ ସହିତ ବ୍ରୋମହେକ୍ସାଇନ୍‌, ଫେନିଲେଫ୍ରାଇନ୍‌, କ୍ଲୋରଫେନିରାମାଇନ୍‌ ଓ ଗୁଏଫେନେସିନ୍‌, ସାଲ୍‌ବୁଟାମଲ, ହୋଇଡ୍ରୋସ୍କିଥିଲେଥି ସହିତ ଓଫିଲ୍ଲିନ୍‌ ବ୍ରୋମ୍‌ହିକ୍ସିନ୍‌ ଏବଂ କ୍ଲୋରୋଫେନିରାମିନ୍‌ କୋଡାଇସନ୍‌ ସହିତ ଫସ୍‌ଫେଟ୍‌ ମେନ୍ଥୋଲ୍‌ ମିଶ୍ରଣ ଔଷଧ ପ୍ରସ୍ତୁତି ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.