ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମହାନଦୀ ଜଳ ବିବାଦ ପାଇଁ ଏବେ ରାଜ୍ୟ ରାଜନୀତିରେ ଦୋଷ ଠେଲାଠେଲି ଆରମ୍ଭ ହେଲାଣି । କେବେବେଳେ ବିଜେଡି, ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରୁଛି ତ ଆଉ କେବେ ଏହି ଦୁଇ ଦଳ ଶାସକ ଦଳକୁ କାଉଣ୍ଟର କରୁଛନ୍ତି । ବିଜେଡି କହିଛି ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ନୀରବ ରହିଛନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜିଛନ୍ତି ଦୁଇ ଦଳ । ନିଜର ରାଜନୈତିକ ସ୍ୱାର୍ଥ ଲାଗି ସର୍ବଦା ତତ୍ପର ଥିବା କଂଗ୍ରେସ ଓ ବିଜେପି ଓଡିଶାବାସୀଙ୍କ ସ୍ୱାର୍ଥକୁ କେବେ ବି ଗୁରୁତ୍ୱ ଦେଉନାହାନ୍ତି ବୋଲି କହିଛି ବିଜେଡି । ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର କହିଛନ୍ତି- ଓଡ଼ିଶାର ପ୍ରଗତି ଓ ବିକାଶ ମହାନଦୀ ସହ ଜଡ଼ିତ ।
ମହାନଦୀ ଆମ ସମସ୍ତଙ୍କ ହୃଦୟରେ ରହିଛି । ଛତିଶଗଡ଼ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯିବା ସତ୍ତେ୍ୱ ସେହି ସରକାର ଓଡିଶାର ଦାବି ପ୍ରତି କର୍ଣ୍ଣପାତ କରିନାହାନ୍ତି ।
କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ବା ବିଜେପି କର୍ମୀ ବା ନେତା , ଓଡ଼ିଶାର ସ୍ୱାର୍ଥ ଲାଗି କେହି ଠିଆ ହେଲେ ନାହିଁ । ଛତିଶଗଡ଼ରେ ବିଜେପି ସରକାର ଥିବାବେଳେ କଂଗ୍ରେସ ନେତାମାନେ ଏଠି ବିରୋଧ କରୁଥିଲେ । ମାତ୍ର ସେଠାରେ କଂଗ୍ରେସ ସରକାର ଗଠନ ପରେ ରାଜ୍ୟରେ କଂଗ୍ରେସ ନେତା ଚୁପ୍ ରହିଛନ୍ତି । ଏଠାରେ କଂଗ୍ରେସ ନେତାମାନେ କୁମ୍ଭୀର କାନ୍ଦଣା କରୁଛନ୍ତି । ମହାନଦୀ ପ୍ରସଙ୍ଗ ଓ ରାଜ୍ୟବାସୀଙ୍କ ଜୀବନଜୀବିକା ଲାଗି ବିଜେଡି ହିଁ ସଂଗ୍ରାମ କରୁଛି । ବିରୋଧୀ ଦଳ ଏଠାରେ ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ ବିରୋଧୀ କାର୍ୟ୍ୟ କରୁଛନ୍ତି । କଂଗ୍ରେସ ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ମତ୍ସ୍ୟଜୀବୀ, ଚାଷୀ, ନଈକୂଳିଆ ଅଂଚଳବାସୀଙ୍କ ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି ବିଜେଡି ।
ଅନ୍ୟପଟେ ତାରା ବିଜେଡିକୁ କାଉଣ୍ଟର କରି କହିଛନ୍ତି ଯେ, ମହାନଦୀ ଉପରେ ଛତିଶଗଡ ବନ୍ଧ ବାନ୍ଧିବା ପ୍ରସଙ୍ଗରେ ପ୍ରଥମେ କଂଗ୍ରେସ ହିଁ ପ୍ରଶ୍ନ ଉଠାଇଥିଲା । ଏପରିିକି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ତକ୍ରାଳୀନ ବିରୋଧୀ ଦଳ ନେତା ନରସିଂହ ମିଶ୍ର। କିନ୍ତୁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିନଥିଲେ । ତେଣୁ ବାଧ୍ୟହୋଇ ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏହି ବୈଠକରେ ବିଜେଡିରୁ କେହି ଯୋଗ ଦେଲେନି । ଏବେ କଣ କହୁଛନ୍ତି କଂଗ୍ରେସ ପାଟି ଖୋଲିନି । ଯେତେବେଳେ ବିଧାନସଭାରେ ଏ ପ୍ରସଙ୍ଗ କଂଗ୍ରେସ ଉଠାଇଥିଲା ସେତେବେଳେ ତତ୍କାଳୀନ ଜଳସମ୍ପଦ ସଚିବ କହିଥିଲେ ଛତିଶଗଡ ଶହେ ବନ୍ଧ ବାନ୍ଧିଲେ ବି ଓଡିଶା ଉପରେ ପ୍ରଭାବ ପଡିବନି । କିନ୍ତୁ ଏବେ ସ୍ଥିତି କଣ ? ମହାନଦୀରେ ଖୁବଶୀଘ୍ର ଆଡିବନ୍ଧ ବାନ୍ଧିବାକୁ କହିଥିଲେ । କିନ୍ତୁ ଏଯାଏଁ ଗୋଟିଏ ଆଡିବନ୍ଧ ହେଲାଣି କି? ୨୨ ବର୍ଷ ଭିତରେ କେତୋଟି ଆଡିବନ୍ଧ ଏ ସରକାର କରିଛି ତାହାର ଉତ୍ତର ଦିଅନ୍ତୁ । କଂଗ୍ରେସ ଦଳ ସବୁବେଳେ ଏଥିପାଇଁ ବିଧାନସଭାରେ ପାଟି ଖୋଲିଛି । ବିଜେଡି ଓ ବିଜେପି ଏ ପ୍ରସଙ୍ଗରେ ସବୁବେଳେ ଡ୍ରାମା କରିଛନ୍ତି । ତାରାଙ୍କ ଏହି ପ୍ରତିକ୍ରିୟାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି ।