ରାଜଧାନୀ ଦିଲ୍ଲୀରେ ପୁଣିଥରେ ବୋମା ଧମକ ମିଳିଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ପୁଣିଥରେ ବୋମା ଧମକ ମିଳିଛି। ଦିଲ୍ଲୀର ଏକାଧିକ ସ୍କୁଲ ପରେ ଏଥର ଡାକ୍ତରଖାନାଗୁଡ଼ିକ ବୋମାରେ ଉଡ଼ାଇ ଦେବାକୁ ପୁଣିଥରେ ଧମକ ମିଳିଛି। ଦିଲ୍ଲୀରେ ଥିବା ଚାରୋଟି ହସ୍ପିଟାଲକୁ ମିଳିଲା ବୋମା ଧମକ । ହସ୍ପିଟାଲଗୁଡ଼ିକ ହେଲା ଦୀପଚାନ୍ଦ ବନ୍ଧୁ ହସ୍ପିଟାଲ୍, ଦାଦା ଦେବ ହସ୍ପିଟାଲ୍, ହେଡଗୱାର୍ ହସ୍ପିଟାଲ୍ ଏବଂ ଗୁରୁ ତେଗ ବାହାଦୂର ହସ୍ପିଟାଲ୍ । ଆଜି ସକାଳେ ବୋମା ଧମକ ମିଳିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଧମକ ମିଳିଥିଲା । ଇମେଲ ଜରିଆରେ ଏହି ଧମକ ଆସିଛି। ଏହାପୂର୍ବରୁ ଦିଲ୍ଲୀର ଏକାଧିକ ସ୍କୁଲ, ଡାକ୍ତରଖାନା, ବିମାନବନ୍ଦର ଏବଂ ଉତ୍ତର ରେଳବାଇର ସିପିଆରଓ ବିଲ୍ଡିଂକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଥିଲା। ଏହି ସମୟରେ ଧମକପୂର୍ଣ୍ଣ ମେଲ କିଏ ଓ କାହିଁକି ପଠାଇଛି ତାହା ଜାଣିବା ପାଇଁ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି। ଜାତୀୟ ରାଜଧାନୀର ଚାରୋଟି ଡାକ୍ତରଖାନାକୁ ପୁଲିସ ଦଳ ପଠାଯାଇଛି। ରବିବାର ଦିନ ଦିଲ୍ଲୀର ୧୦ଟି ଡାକ୍ତରଖାନା ଏବଂ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା।

ତେବେ ଏହି ଧମକକୁ ଦିଲ୍ଲୀ ପୁଲିସ ଖାରଜ କରିଦେଇଛି। ମେ ୧ରେ ଦିଲ୍ଲୀ-ଏନସିଆରର ୧୫୦ରୁ ଅଧିକ ବିଦ୍ୟାଳୟକୁ ବୋମା ଧମକ ପଠାଯାଇଥିଲା। ଯାହାପରେ ଏହା ମିଥ୍ୟ ଧମକ ବୋଲି ଜାଣିବାକୁ ମିଳିଥିଲା।ଏହି ଧମକ ପାଇଥିବା ବିଦ୍ୟାଳୟ ମଧ୍ୟରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ (ଡିପିଏସ୍) ଦ୍ୱାରକା ଏବଂ ବସନ୍ତ କୁଞ୍ଜ ୟୁନିଟ୍, ପୂର୍ବ ମୟୂର ବିହାରର ମଦର ମେରି ସ୍କୁଲ୍, ସଂସ୍କୃତ ବିଦ୍ୟାଳୟ, ପୁଷ୍ପ ବିହାରର ଆମିଟି ସ୍କୁଲ୍ ଏବଂ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିଏଭି ସ୍କୁଲ୍‌ର ନାମ ରହିଥିଲା। ନୋଏଡା, ଡିପିଏସ୍ ଏବଂ ଆପେଜେ ସ୍କୁଲକୁ ମଧ୍ୟ ସମାନ ଧମକ ଆସିଥିଲା।

Leave A Reply

Your email address will not be published.