ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ତାତିରୁ ନିସ୍ତାର ନାହିଁ। ଆସନ୍ତା ୪ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଏହାପରେ ୨ରୁ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ବୁଧବାର ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଊର୍ଦ୍ଧ୍ବ ରହିଥିଲା। ନୂଆପଡ଼ାରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
ସେପଟେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୩-୪ ଦିନ ମଧ୍ୟରେ ସକ୍ରିୟ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାସହିତ ଆସନ୍ତା ୧୩ ଓ ୧୪ ତାରିଖରେ ସମୁଦ୍ରରେ ୪୫-୫୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ୩ରୁ ୪ ଦିନ ମଧ୍ୟରେ ମୌସୁମୀ ଆଗକୁ ବଢିବ । ଜୁନ୍ ୧୫ ତାରିଖ ପରେ ମୌସୁମୀ ଆଗକୁ ବଢି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୮ ତାରିଖରେ ଓଡ଼ିଶାର ମାଲକାନଗିରି ଜିଲ୍ଲାକୁ ଛୁଇଁଥିବା ବେଳେ ଆଉ ଆଗକୁ ବଢିପାରିନି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଓ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ । ୧୫ ତାରିଖଠାରୁ ପାଗରେ ପରିବର୍ତ୍ତନ ହୋଇପାରେ। ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବା ସହ କାଳବୈଶାଖୀ ବର୍ଷାର ପ୍ରଭାବ ବଢିବ।