ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସାରା ଦେଶରେ ବାଣ ଫୁଟେଇବା ଉପରେ ଆସିଲା ବଡ଼ କଟକଣା । ଘାତକ ବାୟୁ ପ୍ରଦୂଷଣ କରୁଥିବା ବାଣ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ସାରା ଦେଶରେ ଘାତକ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବାରୁଦରେ ବେରିଅମ୍ ସଲ୍ଟ ମିଶ୍ରିତ ବାଣ ଉପରେ କଟକଣା ନିର୍ଦ୍ଦେଶ ହୋଇଛି । ଚଳିତ ବର୍ଷ ୧୨ ତାରିଖରେ ପାଳିତ ହେବାକୁ ଯାଉଛି ଦୀପାବଳି। ଆଲୋକର ପର୍ବ କୁହାଯାଉଥିବା ଦୀପାବଳି ଅବସରରେ ଦୀପ ଜାଳିବା ସହ ବାଣ ଫୁଟାଇବାର ପରମ୍ପରା ରହିଛି।
ମାତ୍ର ବିଗତ କିଛି ବର୍ଷ ମଧ୍ୟରେ ପ୍ରଦୂଷଣ ବୃଦ୍ଧି ହେତୁ ଅନେକ ରାଜ୍ୟରେ ଦୀପାବଳି ଅବସରରେ ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଏଥର ଦୀପାବଳି ପୂର୍ବରୁ ଆତସବାଜି ଅର୍ଥାତ ବାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ଏକ ବଡ଼ ଆଦେଶ ଦେଇଛନ୍ତି। ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରିବା କରିବା ବେଳେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବାଣ ସମ୍ବନ୍ଧରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସବୁ ରାଜ୍ୟରେ ପ୍ରଯୁଜ୍ୟ ହେବ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବାୟୁ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ। ଉଦୟପୁରରେ ପ୍ରଦୂଷଣ ମାତ୍ରା ବଢ଼ିଯିବାରୁ ବାୟୁ ଗୁଣବତ୍ତାମାନ କମିବାରେ ଲାଗିଛି।
ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ୨୦୧୮ ମସିହାରେ ଦିଲ୍ଲୀ ରାଜଧାନୀ ଅଞ୍ଚଳ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ସମଗ୍ର ଦେଶ ପାଇଁ ଲାଗୁ। ୨୦୧୮ ମସିହାରେ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ କରିଥିଲେ ସୁପ୍ରିମ କୋର୍ଟ। ବାଣ ବିକ୍ରି ଉପରେ ଲାଗୁ କଟକଣାକୁ ହଟାଇବା ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାତ୍ର ଏହା ପ୍ରଦୂଷଣ ମାତ୍ରା ବଢ଼ାଉଥିବାରୁ ଏହାକୁ ହଟାଇବାକୁ ସଫା ସଫା ମନା କରି ସାରିଛନ୍ତି ସୁପ୍ରିମକୋର୍ଟ।