ଏଥର କୋଟିଆ ହଳଦୀ ଉପରେ ଆନ୍ଧ୍ରର ଆଖି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଏଥର କୋଟିଆ ହଳଦୀ ଉପରେ ଆନ୍ଧ୍ରର ଆଖି । ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ରାଜନ୍ନ ଦୋରା କୋଟିଆ ଗସ୍ତ କରିବାର ଦିନକ ପରେ ତାଙ୍କ ସରକାରର ଆଇଟିଡିଏ ଅଧିକାରୀ କୋଟିଆ ଗସ୍ତରେ ଆସିଛନ୍ତି। ଯାହା ଆନ୍ଧ୍ର କୋଟିଆକୁ ନେଇ କେତେ ଗମ୍ଭୀର ବୋଲି ବୁଝାପଡୁଛି। ହେଲେ ରାଜ୍ୟ ସରକାର ଏ ବାବଦରେ ସେଭଳି କୌଣସି ତତ୍ପରତା ଦେଖାଉନଥିବା ଦେଖିବାକୁ ମିିଳିଛି। ଗୁରୁବାର ଫାଟୁସିନେରୀ ଗାଁରେ ଆଇଟିଡିଏ ଅଧିକାରୀ ପହଁଚିଥିଲେ। ଏହାପରେ କୋଟିଆ ଲୋକଙ୍କଠୁ ଜଙ୍ଗଲଜାତ ଦ୍ରବ୍ୟ କିଣିଛନ୍ତି। କୋଟିଆରୁ ହଳଦୀ, ତେନ୍ତୁଳି, ଆମ୍ବ ଆଦି ଅନ୍ୟାନ୍ୟ ଜିିନିଷ କିଣି ନେଇଛନ୍ତି ଆନ୍ଧ୍ରର ଆଇଟିଡିଏ ଅଧିକାରୀ। ହଳଦି ନେଇ ପଡ଼ୋଶୀ ସରକାର ଏକ ଫ୍ୟାକ୍ଟ୍ରି ତିଆରି କରିବାକୁ ଯୋଜନା କରିଥିବା ସୂଚନା ରହିଛି। ଏପରି କରି କୋଟିଆ ଉପରେ ନଜର ରଖିଥିବା ଆନ୍ଧ୍ର ଏଠାକାର ଲୋକଙ୍କୁ ଆର୍ଥିକ ରୋଜଗାରର ବାଟ ଦେଖାଇବାକୁ ଯୋଜନା କରିଛି। ଯଦି ଜଗନ ସରକାର ଏଥିରେ ସଫଳ ହୁଅନ୍ତି ତାହେଲେ ଲୋକଙ୍କୁ ନିଜ ସରକାରର ସମର୍ଥକ ଭାବେ ବ୍ୟବହାର କରି ସଂପୃକ୍ତ ବିବାଦୀୟ ଅଞ୍ଚଳରେ ନିଜର ଆଧିପତ୍ୟ ଜାହିର କରିବା ଆହୁରି ସହଜ ହୋଇଯିବ। ନିକଟରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆ ଆସିଥିଲେ। ଆଉ ଜୟ ଜଗନର ନାରା ଦେବା ସହିତ ‘ଜଗନ ଆମ ଭବିଷ୍ଯତ’ ବୋଲି କହିଥିଲେ। ଏଥିସହ କୋଟିଆବାସୀଙ୍କ ଘରେ ଘରେ ନିଜ ସରକାରର ଯୋଜନା ପହଞ୍ଚାଇବା ସହିତ ପ୍ରଚାର କରିଥିଲେ। ଏହି ସମୟରେ ରାଜନ ଦୋରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ପିତୃତୁଲ୍ୟ’ କହି ସମ୍ବୋଧିତ କରିଥିଲେ। ଆଉ ଆନ୍ଧ୍ର ଓ ଓଡ଼ିଶା ଭାଇ ଭାଇ ବୋଲି କହିଥିଲେ।

ବଡ଼କଥା ହେଲା କୋଟିଆ ଓଡ଼ିଶାର। ଏହା ରାଜ୍ୟ ସରକାର ବାରମ୍ବାର କହୁଛନ୍ତି। କିନ୍ତୁ ଏହାକୁ ନେଇ ଆନ୍ଧ୍ର ଯେତିକି ତତ୍ପରତା ଦେଖାଉଛି ସେଭଳି ତତ୍ପରତା ଓଡ଼ିଶା ସରକାର କି ବାବୁଙ୍କ ପାଖରେ ଦେଖିବାକୁ ମିଳୁନି। ଏହା ରାଜଧାନୀରୁ ଅଧିକ ଦୂରତା ହୋଇଥିବାରୁ ଅପରପକ୍ଷ ରାଜ୍ୟ ଭଳି ଦୃଷ୍ଟି ପଡୁନି ନା ଏଥିରେ ଆଉ କିଛି ଉଦ୍ଦେଶ୍ୟ ତାହା ମଧ୍ୟ ଅସ୍ପଷ୍ଟ ରହିଛି। ସ୍ଥାନୀୟ ଲୋକେ କହିଛନ୍ତି, ଆନ୍ଧ୍ରର ଅଧିକାରୀ ଓ ନେତା ଆସି କୋଟିଆ ବୁଲିଯାଉଛନ୍ତି। ହେଲେ ରାଜ୍ୟ ସରକାର ଏହାର କାରଣ ଖୋଜିବାକୁ ପ୍ରୟାସ କରୁନାହିଁ। ତେଣୁ ଆଗକୁ ହାତରୁ କୋଟିଆ ଗଲେ ରାଜ୍ୟ ସରକାର ବୋଧହୁଏ ଚେତିବେ। ଅନ୍ୟପଟେ ବିରୋଧୀ ଏହା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଚାଲିଛି। ବିରୋଧୀ ବିଜେପି ଦାବି କରିଛି ଯେ ମୁଖ୍ୟମନ୍ତ୍ରୀ ବିବାଦୀୟ ଅଞ୍ଚଳର ସମାଧାନ କରିବାକୁ ଗୋଟିଏ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଡାକିବା ଆବଶ୍ୟକ। ଆଉ ଶାସକ ଦଳ କହିଛି କେନ୍ଦ୍ର ସରକାର ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ କରିବା ଆବଶ୍ୟକ। ସେପଟେ କୋଟିଆରେ ଆନ୍ଧ୍ରର ଦାଦାଗିରି ଓ ରାଜ୍ୟ ସରକାରଙ୍କ ଉଦାସୀନତାକୁ ବିରୋଧ କରି ବିଜେପି କୋଟିଆରେ ପ୍ରତିବାଦ କରିଛି। ନିକଟରେ ଉତ୍କଳ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ଗୋ ବ୍ୟାକ ନାରା ଦେଇଥିଲେ।

Leave A Reply

Your email address will not be published.