ଆତ୍ମହତ୍ୟା ରୋକିବା ଲାଗି ହଷ୍ଟେଲରେ ଲାଗିବ ସ୍ପ୍ରିଙ୍ଗ ଦିଆ ଫ୍ୟାନ୍

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜସ୍ଥାନର କୋଚିଙ୍ଗ୍‌ ‘ହବ୍‌’ କୋଟାରେ ଦିନକୁ ଦିନ ଆତ୍ମହତ୍ୟା ମାତ୍ରା ବଢିବାରେ ଲାଗିଛି । ଏହାକୁ ରୋକିବା ଲାଗି ସମସ୍ତ ହଷ୍ଟେଲ୍‌ ଓ ପେଇଙ୍ଗ୍‌ ଗେଷ୍ଟ୍‌ କୋଠରିରେ ସ୍ପ୍ରିଙ୍ଗ୍‌ଦିଆ ପଙ୍ଖା ଲଗାଇବା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ଆଦେଶ ଜାରି କରିଥିବା ସୂଚନା ମିଳିଛି। ଏହି ପଙ୍ଖାରେ କୌଣସି ଭାରୀ ଜିନିଷ ଓହଳିଲେ ଏଥିରେ ଲାଗିଥିବା ସ୍ପ୍ରିଙ୍ଗ୍‌ ଖୋଲିଯାଇ ପଙ୍ଖା ଛାତରୁ ଅଲଗା ହୋଇଯିବ। କୋଟା ଜିଲ୍ଲାପାଳ ଓମ୍‌ ପ୍ରକାଶ ବୁନକର ଜାରି କରିଥିବା ଉକ୍ତ ଆଦେଶର ଉଦ୍ଦେଶ୍ୟ ହେଉଛି, ଏହି ସବୁ ରହଣିସ୍ଥାନରେ ରହି ପଢ଼ାପିଢ଼ି କରୁଥିବା ଛାତ୍ରଛାତ୍ରୀମାନଙ୍କୁ ମାନସିକ ସମର୍ଥନ ଓ ସୁରକ୍ଷା ଯୋଗାଇଦେବା ଏବଂ କୋଚିଙ୍ଗ୍‌ ନେଉଥିବା ଛାତ୍ରଛାତ୍ରୀଙ୍କୁ ଆତ୍ମହତ୍ୟା କରିବାରୁ ନିବୃତ କରିବା।

ଏଥିସହିତ ଏହି ଆଦେଶନାମା ୨୦୨୨ ଡିସେମ୍ବରରେ ଜାରି କରାଯାଇଥିବା ପୂର୍ବ ଆଦେଶନାମା ବିଷୟରେ ବି କୋଚିଙ୍ଗ୍‌ ପ୍ରତିଷ୍ଠାନ, ହଷ୍ଟେଲ୍‌ ଓ ପେଇଙ୍ଗ୍‌ ଗେଷ୍ଟ୍‌ ସୁବିଧା ଯୋଗାଇ ଦେଉଥିବା ବ୍ୟକ୍ତିବିଶେଷଙ୍କୁ ସ୍ମରଣ କରାଇ ଦେଇଛି। ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ପୂର୍ବ ଆଦେଶନାମାରେ କେ ତେକ ବ୍ୟବସ୍ଥା କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସେଥିରୁ କେତେକ ହେଉଛି, ଛାତ୍ରଛାତ୍ରୀଙ୍କ ପାଇଁ ସାପ୍ତାହିକ ଛୁଟି, ଗୋଟିଏ ଶ୍ରେଣୀରେ ସର୍ବାଧିକ ୮୦ ଛାତ୍ରଛାତ୍ରୀ ବସିବା ବ୍ୟବସ୍ଥା, ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କର ମାନସିକ ଅବସ୍ଥାର ବାଧ୍ୟତାମୂଳକ ପର୍ୟ୍ୟବେକ୍ଷଣ। ଏସବୁ ଅମାନ୍ୟ କଲେ ସମ୍ପୃକ୍ତ ପ୍ରତିଷ୍ଠାନର ମାଲିକଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.