ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ: ୨୫ଟି ଜିଲ୍ଲାର ୪୮ ଟି ବ୍ଲକର ୯୭୫ ପଞ୍ଚାୟତର ଚାଲିଛି ମତଦାନ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ଶେଷ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗ୍ରହଣ ଅର୍ଥାତ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ। ରାଜ୍ୟର ୨୫ ଟି ଜିଲ୍ଲାର ୪୮ ଟି ବ୍ଲକର ୯୭୫ ଗ୍ରାମ ପଞ୍ଚାୟତର ୧୩,୫୧୪ ବୁଥରେ ୧୩୧ ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଦେଉଛନ୍ତି ଭୋଟର। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ ୧୩ ହଜାର ୫୧୪ ବୁଥ୍ ପ୍ରସ୍ତୁତ କରାଯାଇଛି। ସେଭିତରୁ ୨ହଜାର ୨୭ଟି ବୁଥ୍ ସମ୍ବେଦନଶୀଳ। ମୋଟ ୪୧ ଲକ୍ଷ ୮୮ ହଜର ୩୮୨ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।
ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଫୋକସରେ ରହିଛି କିଛି ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ। ବାଲେଶ୍ୱର, ଟିଟିଲାଗଡ଼, ବରଗଡ଼, ବାଙ୍କୀ, ପାରଳାଖେମୁଣ୍ଡି, ମହାକାଳପଡ଼ା, କେନ୍ଦୁଝର, ଜଟଣୀ ଓ ଖଣ୍ଡପଡ଼ା। ପଞ୍ଚାୟତ ଫଳାଫଳ ଏସବୁ ନିର୍ବାଚନ ମଣ୍ଡଳୀରେ ହେଭିୱେଟ ନେତା ଓ ମନ୍ତ୍ରୀଙ୍କ ପତିଆରା ପ୍ରମାଣିତ କରିବ।
ପଞ୍ଚମ ପର୍ଯ୍ୟାୟ ନିର୍ବାଚନକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପୋଲିସ୍ ଅଧିକାରୀଙ୍କ ସହ ୨୫୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୧୪୮ ଟି ମୋବାଇଲ୍ ପାଟ୍ରୋଲିଂ ଦଳ ନିୟୋଜିତ ହୋଇଛନ୍ତି । ଏହି ପର୍ଯ୍ୟାୟ ଭୋଟଗ୍ରହଣର ବିଶେଷତ୍ବ ହେଉଛି ପ୍ରାୟ ୧୫ ବର୍ଷ ପରେ ମାଲକାନଗିରିର ମାଓ ଅଧ୍ୟୁଷିତ ସ୍ବାଭିମାନ ଅଞ୍ଚଳରେ ଭୋଟ ଗ୍ରହଣ କରାଯାଉଛି ।