ଆଜି ହେଉଛି ବିଶ୍ୱ ପଖାଳ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ବିଶ୍ୱ ପଖାଳ ଦିବସ। ପଖାଳ ଗୋଟେ ଓଡ଼ିଆର ମନ ଓ ପ୍ରାଣରେ ରହେ। ଆମ ମହାପ୍ରଭୁ ଜଗନ୍ନାଥ ବି ପଖାଳ ଖାଆନ୍ତି। ରାତିରେ, ପୁଣି ଘିଅ ପକାଇ ଖାଆନ୍ତି। ଏମିତି ଖାଇବା କେଉଁଠି ଦେଖିଛନ୍ତି। ପଖାଳ ଆମ ଓଡ଼ିଶାର ଧନୀ, ଗରିବ, ମଧ୍ୟବିତ୍ତ ସବୁ ପ୍ରକାର ପରିବାରର ଭୋକ ମେଣ୍ଟାଇବା ପରି ଏକ ସରଳ ଖାଦ୍ୟ। କିନ୍ତୁ ବହୁ ପରିମାଣର ପୋଷକରେ ଭରପୂର। ଓଡ଼ିଆଙ୍କ ଏହି ପ୍ରିୟଖାଦ୍ୟର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ପଖାଳ ଦିବସ’ ଭାବରେ ପାଳନ କରାଯାଉଛି ।

ପଖାଳ ଦିବସ ସହ ଖରାଦିନର ଆଗମନ ହେଉଥିବାରୁ ଏହାର ଚାହିଦା ଏବେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କାହିଁରେ କ’ଣ? ବିଭିନ୍ନ ହୋଟେଲ‌ ଓ ରେଷ୍ଟୁରାଣ୍ଟ ପକ୍ଷରୁ ‘ଜିରା ପଖାଳ’, ‘ଦହି ପଖାଳ’, ‘ଗରମ ବା ଚାଇଁ ପଖାଳ’ ଓ ‘ବାସି ପଖାଳ’ ପ୍ରସ୍ତୁତ କରାଯାଉଛି। ତା’ସହିତ ସାଧାରେ ରହିଛି ଶାଗଭଜା, ବଡ଼ି ଶାଗ, ବଡ଼ି ଚୁରା, ଆଳୁଚଟଣୀ, ପିଠୋଉ ଦିଆ କଖାରୁ ଫୁଲ ପିଠା, ଆମ୍ୱ ଚଟଣି, ଛତୁଭଜା, ବେସର, ସଜନା ଛୁଇଁ ବେସର ଓ ଦେଶୀ ପିଆଜ ଭଳି ଆଇଟମ୍। ସେହିପରି ଆମିଷରେ ଚିକେନ୍ (ବିଭିନ୍ନ ଡିସ ଯଥା ଚିକେନ ଫ୍ରାଏ, କଶା, କରି, ଆଳୁ ମିକ୍ସଡ ଇତ୍ୟାଦି), ମଟନ‌ କରି ଓ ମଟନ‌‍ କଶା, ଚୁନାମାଛ, ମହୁରାଳି ଫ୍ରାଏ ଓ ଗୋଟା ଚୁନା ମାଛ, ପୋହଳା, ଅଣ୍ଡା ଚପ୍‌ ଓ ଅଣ୍ଡା ଆମ୍‌ଲେଟ୍‍ ରହିଛି।

ଗତ ୨ ଦିନ ଧରି ପାଗ ଖରାପ ଥିବାରୁ ଆଜି ପଖାଳ ଦିବସ ଟିକେ ଧୀମା ପଡ଼ିପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ତେବେ ରେସ୍ତୋରାଁ ଓ ହୋଟେଲ ମାଲିକ ଏହାକୁ ନେଇ ସାଲିସ କରି ନାହାନ୍ତି। ପଖାଳ ଦିବସ ପାଳନ ନିମନ୍ତେ ଚାଳିଆ ହୋଟେଲଠୁ ଆରମ୍ଭ କରି ତାରକା ହୋଟେଲରେ ବି ସ୍ୱତନ୍ତ୍ର ଆୟୋଜନ ହୋଇଛି । ଏଥିନିମନ୍ତେ ଲୋକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସୁକତା ଦେଖାଦେଇଛି। ଏଥିପାଇଁ ପଖାଳ ଓଡ଼ିଆଙ୍କର କେବଳ ଖାଦ୍ୟ ନୁହେଁ, ଏକ ଭାବାବେଗ କୁହାଯାଇଥାଏ।

Leave A Reply

Your email address will not be published.