ଆସନ୍ତାକାଲି ୪୫ ହଜାର ଶିକ୍ଷାନୁଷ୍ଠାନ ସହ ଅନ୍‌ଲାଇନ୍ ଆଲୋଚନା କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

0

କରୋନା ମହାମାରୀ ଏବଂ ଲକ୍‌ଡାଉନ୍ ଯୋଗୁଁ ଶିକ୍ଷା ଗ୍ରହଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ଅନିଶ୍ଚିତତା ଆଡକୁ ଯିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦେଶର ଉଚ୍ଚ ଶିକ୍ଷା ବିଭାଗର ପ୍ରାୟ ୪୫ ହଜାରରୁ ଊର୍ଦ୍ଧ୍ୱ ଉଚ୍ଚ ଶିକ୍ଷାନୁଷ୍ଠାନର କର୍ମକର୍ତା ଓ ଶିକ୍ଷକଙ୍କ ସହ ଗୁରୁବାର ଦିନ ଆଲୋଚନା କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ ।

ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରିଡିସନ୍ କାଉନ୍‌ସିଲ୍ (ନାକ୍‌), ବେଙ୍ଗାଲୁରୁ ପକ୍ଷରୁ ଏହି ଅନ୍‌ଲାଇନ୍ ଆଲୋଚନାର ଆୟୋଜନ କରାଯାଇଛି । ଏହି ଆଲୋଚନାକୁ ମନ୍ତ୍ରୀଙ୍କର ଫେସ୍‌ବୁକ୍ ଏବଂ ଟ୍ୱିଟର ଆକାଉଂଟ ମାଧ୍ୟମରେ ସିଧା ପ୍ରସାରଣ ମଧ୍ୟ କରାଯିବ ।

ଏହି ୱେବିନାର୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଡିଜିଟାଲ୍ ପ୍ଲାଟ୍‌ଫର୍ମ ବ୍ୟବହାର କରିବାକୁ ଉତ୍ସାହିତ କରିବା । ଡିଜିଟାଲ୍ ପ୍ଲାଟ୍‌ଫର୍ମ ଦ୍ୱାରା ପାଠପଢ଼ା ଓ ପରୀକ୍ଷା ସବୁକିଛି ଯେପରି ସମ୍ବବ ହୋଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ନାକ୍‌ର ଉପଦେଷ୍ଟା ଡଃ ଅମୀୟ କୁମାର ରଥ ।

ଯଦିଓ ଏହି ମହାମାରୀ ଯୋଗୁଁ ଉଚ୍ଚ ଶିକ୍ଷା ସମସ୍ୟାର ସମ୍ମୁଖୀନ ହୋଇଛି, ତଥାପି ଏହି ଆହ୍ୱାନକୁ କିପରି ସୁଯୋଗରେ ପରିଣତ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।

ୱେବିନାର୍ ମାଧ୍ୟମରେ କରୋନା ମହାମାରୀ କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କିଭଳି ଅସୁବିଧା ସୃଷ୍ଟି ହେଉଛି ଏବଂ ଡିଜିଟାଲ୍ ପ୍ଲାଟଫର୍ମ ଦ୍ୱାରା କିଭିଳ ଏହି ସମସ୍ୟାର ସମାଧାନ କରାଯାଇପାରିବ ସେ ନେଇ ଆଲୋଚନା କରାଯିବ ।

ଏହି ୱେବିନାରରେ ସମସ୍ତ ଅନୁଷ୍ଠାନର କୁଳପତି, ପ୍ରଫେସର ଏବଂ ଫ୍ୟାକଲ୍ଟିମାନଙ୍କୁ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି ନାକ୍‌ର ନିର୍ଦ୍ଦେଶକ ପ୍ରଫେସର ଏସ୍‌.ସି. ଶର୍ମା ।

Leave A Reply

Your email address will not be published.