ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନ 2024 । ଦିନକ ପରେ ମେ 25 ତାରିଖ ଶନିବାର ଦେଶରେ 6ଷ୍ଠ ପର୍ଯ୍ୟାୟ ଓ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ମତଦାନ । ଆସନ୍ତାକାଲି ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ।

ଏଥିପାଇଁ ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି। ଇଭିଏମ୍, ଭିଭିପାଟ୍ ଓ ଭୋଟିଂ ପାଇଁ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ଧରି ବୁଥ୍ ଅଭିମୁଖେ ଯାଉଛନ୍ତି। କାଲି ବିଭିନ୍ନ ସ୍ଥାନରେ ପୋଲିଂ ଅଧିକାରୀ ଓ କର୍ମଚାରୀ ପହଞ୍ଚି ସାରିଥିବା ବେଳେ ବାକି ଆଜି ପହଞ୍ଚିବେ।  କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ । ପୁରୀରେ ସମ୍ବିତ ପାତ୍ର ଓ ଅରୁପ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେବେ ଜୟନାରାୟଣ ପଟ୍ଟନାୟକ। ଭୁବନେଶ୍ବରରେ ଅପରାଜିତା ଷଡ଼ଙ୍ଗୀ ବନାମ୍ ମନ୍ମଥ ରାଉତରାୟ ଓ ତାସହ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍ ଙ୍କ ମଧ୍ୟରେ କଡ଼ା ଲଢ଼େଇ ହେବ।

ସେହିପରି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଫାଇଟ୍ ହେବ। ଏହି ସବୁ ସିଟ୍‌ରେ କଂଗ୍ରେସ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ। ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ମୋଟ୍ ୧୦ହଜାର ୫୫୧ ବୁଥ୍ କରାଯାଇଛି। ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ। ୨ ହଜାର ମଡେଲ ବୁଥ୍ ରହିଛି। ମତାଧିକାର ସାବ୍ୟସ୍ତ କରିବେ ୯୪ ଲକ୍ଷରୁ ଅଧିକ ଭୋଟର। ଏମାନଙ୍କ ଭିତରେ ଅଛନ୍ତି ୪୮ ଲକ୍ଷରୁ ଅଧିକ ପୁରୁଷ ଓ ୪୬ ଲକ୍ଷରୁ ଅଧିକ ମହିଳା ମତଦାତା।

Comments are closed.