ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତିନିଜଣ ସାଙ୍ଗ ଖେଳିବାକୁ ଘର ନିକଟରେ ଥିବା କେନାଲ ପାଖକୁ ଯାଇଥିବା ବେଳେ ଦୁଇଜଣ କେନାଲରେ ଭାସିଯାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଏକ ଘଣ୍ଟାର ପରିଶ୍ରମ ପରେ ଦୁହିଁଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି।
ସୂଚନା ଅନୁସାରେ ଆଜି ଅପରାହ୍ଣରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ବରିସାହିର ହିମାଂଶୁ ନାୟକଙ୍କ ଏକମାତ୍ର ପୁଅ ସାଇ ମହେଶ ନାୟକ (୧୦),ଅଲ୍ଲିପୁର ଗ୍ରାମର ଅଶୋକ ଦାସଙ୍କ ପୁଅ ହରିହର ଦାସ (୧୩) ଯିଏକି ଦୁଇଦିନ ତଳେ ତାଙ୍କ ମାମୁଁ ଘରକୁ ଆସିଥିଲେ ଓ ଅନ୍ୟ ଜଣେ ନାବାଳକ ୩ଜଣ ସାଙ୍ଗ ହୋଇ ସାଳନ୍ଦୀ କେନାଲ ନିକଟକୁ ଖେଳିବାକୁ ଯାଇଥିଲେ। ଏହି ସମୟରେ କେନାଲରେ ପାଣି ଭର୍ତ୍ତି ଥିବା ବେଳେ ଅତ୍ୟଧିକ ଶିଉଳି ଯୋଗୁଁ ଗୋଡ଼ ଖସିଯିବାରୁ ହରିହର ଓ ସାଇ ମହେଶ ଭାସିଯାଇଥିଲେ।ସଂଗେ ସଂଗେ ସାଙ୍ଗରେ ଥିବା ଅନ୍ୟଜଣେ ସାଙ୍ଗ ସ୍ଥାନୀୟ ଲୋକଙ୍କୁ ଚିତ୍କାର କରି ଡାକି ଥିଲା।
ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଖୋଜା ଖୋଜି କରିବା ପରେ ଉଭୟ ଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି।