ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାରୁ ବିଜେଡି ସରକାର ଗଲା ପରେ ଭିନ୍ନଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଗତକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ପଦବିରୁ ଇସ୍ତଫା ଦେଲା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇ ଜଣ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଛନ୍ତି।

ସିଏମଓ ମୁଖ୍ୟ ଉପଦେଷ୍ଟା ପଦରୁ ସୁରେଶ ମହାପାତ୍ର ଇସ୍ତଫା ଦେଇଛନ୍ତି। ସେହିପରି ସ୍ପେଶାଲ ଇନିସିଏଟିଭ୍ ଉପଦେଷ୍ଟା ପଦରୁ ଆର୍. ବାଲକ୍ରିଷ୍ଣନଙ୍କ ଇସ୍ତଫା ଦେଇଛନ୍ତି। ୧୭ ନଭେମ୍ବର ୨୦୨୩ରେ ସୁରେଶ ମହାପାତ୍ର ସିଏମଓର ମୁଖ୍ୟ ଉପଦେଷ୍ଟା ନିଯୁକ୍ତି ପାଇଥିଲେ। ନୂଆ ଦାୟିତ୍ୱ ମିଳିବା ପରେ ସେ ଓଇଆରସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତାଙ୍କୁ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଫେବ୍ରୁଆରି ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବା ପରେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା।

ବ୍ୟକ୍ତିଗତ କାରଣ ଦର୍ଶାଇ ସୁରେଶ ମହାପାତ୍ର ଓଇଆରସିର ଅଧ୍ୟକ୍ଷ ପଦବୀ ଛାଡ଼ିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ନୂଆ ଦାୟିତ୍ଵ ମିଳିଥିଲା। ତେବେ ଏହି ଦୁଇ ଜଣ ଆଇଏଏସ୍ ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଦୁହେଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଏବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇ ରିଟାୟର୍ଡ ଆଇଏଏସ୍ ଅଫିସର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

Comments are closed.