କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅପାର ସମ୍ଭାବନାର ଅଞ୍ଚଳ କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍ ମହାମାରୀ ସମୟରେ ଦେଶବ୍ୟାପୀ ଲକଡାଉନ କାରଣରୁ ପର୍ଯ୍ୟଟନ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ସ୍ୱଭାବିକ ସ୍ଥିତିରେ ଏହି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି କରାଇବା ଜରୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ “ଦେଖୋ ଅପନା ଦେଶ” ଅନ୍ତର୍ଗତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦେଶ ଏବଂ ବିଦେଶରୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛି ।

କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । ଜିଲ୍ଲାକୁ ଉତ୍ତମ ରେଳ ସଂଯୋଗ ସହ କୋରାପୁଟ – ରାୟଗଡା ରେଳପଥରେ ଭିଷ୍ଟାଡୋମ କୋଚ୍ ଭଳି ଅତ୍ୟାଧୁନିକ ସୁବିଧା ରହିଛି । କୋରାପୁଟକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ଆରାକୁ ଉପତ୍ୟାକାକୁ ବିକଶିତ କରାଯାଇଥିବା ବେଳେ ଭାଇଜାଗ ଏବଂ ଆଖପାଖ ଅଞ୍ଚଳର ଲକ୍ଷ ଲକ୍ଷ ପର୍ଯ୍ୟଟକମାନେ ସେଠାକୁ ବୁଲିବା ପାଇଁ ଯାଉଛନ୍ତି । ସେହିଭଳି ଭାବେ କୋରାପୁଟରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଭଳି ଜୟପୁରରେ ଐତିହାସିକ ସ୍ଥାନ ସହ ଶ୍ରୀଜଗନ୍ନାଥ ମନ୍ଦିର, ଡୁମଡୁମା ଜଳପ୍ରପାତ, କୋଲାବ ଡ୍ୟାମରେ ବୋଟିଂ, ଦେଓମାଳି ପର୍ବତରେ କ୍ୟାମ୍ପ କରିବାର ବ୍ୟବସ୍ଥା ରହିଛି । ଏହାବ୍ୟତିତ ଐତିହାସିକ, ଉତ୍ତମ ପରିବେଶ ଓ ଆଧ୍ୟାତ୍ମିକ ବାତାବରଣ ସହ କୋରାପୁଟ ସ୍ୱଦେଶ ଦର୍ଶନ ଯୋଜନାରେ ବିକଶିତ ହେବା ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରଖୁଛି ।

କିଛି ବର୍ଷ ତଳେ ସାମୁଦ୍ରିକ ବାତ୍ୟା ହୁଡୁହୁଡ ଦ୍ୱାରା କୋରାପୁଟ ଅଞ୍ଚଳ ପ୍ରଭାବିତ ହୋଇଥିଲା । କୋରାପୁଟ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦନ କରାଗଲେ ଅଞ୍ଚଳର ପର୍ଯ୍ୟଟନ ପୁନରୁଦ୍ଧାର ସହ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ । ଏହାଦ୍ୱାରା ସ୍ଥାନୀୟ ଓ ଦୁର୍ଗମ ଅଞ୍ଚଳରେ ଅର୍ଥନୀତି ମଜଭୂତ୍ ହେବ । ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ଲୋକଙ୍କ କଲ୍ୟାଣ ପାଇଁ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧା ବଢାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ ଶ୍ରୀ ପ୍ରଧାନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଉଲ୍ଲେଖନୀୟ ଯେ, ଗତ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋରାପୁଟ ଜିଲ୍ଲାକୁ ଟ୍ରେନ୍ ଯୋଗେ ଗସ୍ତ କରିବା ଅବସରରେ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟନର ବିକାଶ ନେଇ ଆଲୋଚନା କରିଥିଲେ ।

Leave A Reply

Your email address will not be published.