ନବରଙ୍ଗପୁରର ଜିଲ୍ଲା ପ୍ରଶାସନ ସହ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନିକିଆ ନବରଙ୍ଗପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନବରଙ୍ଗପୁରର ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସମୀକ୍ଷା କରିଛନ୍ତି । ଆଗାମୀ ୧୦ ବର୍ଷ ପାଇଁ ଜିଲ୍ଲାରେ ଜ୍ଞାନର ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପ୍ରଧାନ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ତଥା ପ୍ରାଥମିକ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ର ଅନୁଷ୍ଠାନ ଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରାଧ୍ୟାପକଙ୍କ କାପାସିଟି ବିଲଡିଂକୁ ବଢାଇବା, ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା, ନିଯୁକ୍ତି ଓ ଅଞ୍ଚଳର ଦକ୍ଷତା ପରିଂସ୍ଥାନକୁ ମଜଭୂତ କରିବା ଉପରେ ସମୀକ୍ଷା କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାରେ ସ୍କୁଲରେ ପ୍ରାୟ ଶତପ୍ରତିଶତ ନାମ ଲେଖାଉଥିବା ପିଲାମାନେ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସାମାଜିକ ଓ ଅର୍ଥନୀତି ସ୍ଥିତି କାରଣରୁ ଅଧାରୁ ପାଠ ଛାଡୁଛନ୍ତି । ଅପରପକ୍ଷରେ ଏକ ପରିସଂଖ୍ୟାନରୁ ଜିଲ୍ଲାରେ ବହୁତ ମେଧାବୀ ପିଲାମାନେ ଥିବା ଜଣାପଡିଛି । ନବଦୋୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟର ପିଲାମାନେ ଜେଇଇ ଆଡଭାନ୍ସ ଓ ନାଇଜର ପାଇଁ କ୍ୱାଲିଫାଏ ହେଉଛନ୍ତି । ଏ ଜିଲ୍ଲାରେ ବ୍ୟାପକ ନଲେଜ ଓ ସ୍କିଲିଂ ଜ୍ଞାନ ମ୍ୟାପିଂ କଲେ ହିଁ ପିଲା ମାନଙ୍କର ନିଯୁକ୍ତି, ଆତ୍ମନିଯୁକ୍ତି ଓ ସ୍ୱାବଲମ୍ବୀନଶୀଳତା ବଢିବ ।

ନବରଙ୍ଗପୁର ଏକ ଆକାଂକ୍ଷୀ ଜିଲ୍ଲା ହୋଇଥିବାରୁ ଏଠାରେ ମୋଦି ସରକାର ସ୍କିଲିଂ ଏବଂ ଶତପ୍ରତିଶତ ଶିକ୍ଷା ଉପରେ ଯୋର୍ ଦେଉଛନ୍ତି । ଅପରପକ୍ଷରେ ଜିଲ୍ଲାରେ ଚାଷୀମାନେ ଇସ୍ରାଏଲ ଟେକ୍ନୋଲୋଜି ମାଧ୍ୟମରେ ବିଭିନ୍ନ ଚାଷ କରିବା ପ୍ରଶଂସନୀୟ । ସେହିପରି ନରେନ୍ଦ୍ର ମୋଦି ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା ଭାରତମାଳା ପ୍ରକଳ୍ପରେ ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଯେଉଁ ରାସ୍ତା ହେଉଛି ସେଥିରୁ ୧୧୫ କିମି ରାସ୍ତା ନବରଙ୍ଗପୁର ଜିଲ୍ଲାରେ ଅଛି ଏବଂ ୧୦୦ କିମିରୁ ଅଧିକ ରାସ୍ତା କୋରାପୁଟ ଜିଲ୍ଲା ଅନ୍ତର୍ଗତ ଅଛି । ଏହି ରାସ୍ତାର ସବୁଠୁ ବଡ ଅଂଶ ଓଡ଼ିଶା ଭିତରେ ଅଛି । ଆଜି ଭାରତମାଳା ପ୍ରକଳ୍ପର ଭଲ ପ୍ରଗତି ହୋଇଛି । ଏହି ପ୍ରକଳ୍ପ କ୍ରିୟାନ୍ୱୟନ ଓ ଜମି ଗ୍ରହଣରେ ନବରଙ୍ଗପୁର ଆଗରେ ରହିଛି । ଏ ମହତ୍ୱକାଂକ୍ଷୀ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ନବରଙ୍ଗପୁରର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.