ବଡ଼ ଧରଣର ହେବ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଉତ୍ସବ, ଶ୍ରୀକ୍ଷେତ୍ରରେ ହେବ ପାଳନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ । ଏହି ରୌପ୍ୟ ଜୟନ୍ତୀକୁ ବଡ଼ ଧୂମଧାମରେ ପାଳିବାକୁ ଯାଉଛି ଦଳ । ରାଜ୍ୟସ୍ତରୀୟ ସମାରୋହ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ । ପୁରୀ ତାଳବଣିଆ ପଡ଼ିଆରେ ଏହାର ଆୟୋଜନ କରାଯାଉଛି । ଯୋଗଦେବେ ୫୦ ହଜାରରୁ ଅଧିକ କର୍ମୀ ଓ ସାଧାରଣ ଜନତା । ଏହାପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ୧୫ ଦିନ ଧରି ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ହେବ । ଖାଲି ସେତିକିରେ ସରିବନି । ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ କରିବ ଦଳ । ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି । ଏ ନେଇ ଆଜି ନବୀନ ନିବାସରେ ଦଳୀୟ ନେତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କାର୍ଯ୍ୟକ୍ରମର ଖସଡ଼ାକୁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ ।
ସୂଚନା ଅନୁଯାୟୀ, ୨୬ ତାରିଖରେ ପୁରୀ ତାଳବଣିଆ ପଡ଼ିଆରେ ବିଶାଳ ସମାବେଶ ହେବ । ଏଥିରେ ସବୁ ବିଧାୟକ, ସାଂସଦ, ରାଜ୍ୟ କର୍ମକର୍ତ୍ତା, ଛାମୁଆ ସଂଗଠନ ନେତାଙ୍କ ସମେତ ପ୍ରତି ପଞ୍ଚାୟତ ଓ ବ୍ଲକର ବରିଷ୍ଠ ନୋ ଏବଂ କର୍ମକର୍ତ୍ତା ଯୋଗଦେବେ । ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେବେ । ଓଡ଼ିଶାବାସୀଙ୍କ ସେବା ନିରନ୍ତର ଜାରି ରଖିବାକୁ ସେ ଦଳୀୟ ନେତା ଓ କର୍ମୀମାନଙ୍କୁ ସଂକଳ୍ପପାଠ କରାଇବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ଭୂମିକା ନେଇ ଆହ୍ୱାନ ରଖିବେ ।
୨୭ ତାରିଖରୁ ୧୫ ଦିନ ଧରି ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ହେବ । ନିର୍ବାଚନମଣ୍ଡଳୀସ୍ତରୀୟ ସବୁ ନେତା ଓ ଛାମୁଆ ସଂଗଠନଗୁଡ଼ିକ ଏଥିରେ ସାମିଲ ହେବେ । ଏହିଠୁ ବର୍ଷେ ବ୍ୟାପୀ ବିଭିନ୍ନ ଜୋନ୍ ରେ ଦଳ କାର୍ଯ୍ୟକ୍ରମ ଜାରି ରଖିବ । ଏହାର ରୂପରେଖ ଦଳୀୟ ଫୋରମ୍ ରେ ସମସ୍ତଙ୍କୁ ଜଣାଇ ଦିଆଯାଇଛି ।
୨୦୨୪ ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଜେଡିର ଏହି ସବୁ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି । ତୃଣମୂଳସ୍ତରରେ ସଂଗଠନକୁ ଆହୁରି ମଜବୁତ୍ କରିବା ସହ ଲୋକଙ୍କ ସହ ସମ୍ପର୍କ ଯୋଡି ରଖିବା ଦଳର ମୁଖ୍ୟ ଉଦ୍ଦେଶ୍ୟ ହୋଇଛି । ଆଗାମୀ ଦିନରେ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ନବୀନଙ୍କ ପରାମର୍ଶ ନେତାମାନଙ୍କ ଜୋସ୍ ବଢ଼ାଇ ଦେଇଛି । ମୋଟାମୋଟି କହିଲେ, ସାଧାରଣ ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି ।

Leave A Reply

Your email address will not be published.