ବେଆଇନ କାର୍ଯ୍ୟକଳାପକୁ ଗ୍ରାମବାସୀଙ୍କ ବିରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ବେଲପାଳ ଗ୍ରାମରେ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଜାରି ରହିଥିବା ବେଳେ ସରକାରୀ ରାଜସ୍ୱ ହାନି ଘଟୁଛି। ଆଉ ଏହାକୁ ଗ୍ରାମବାସୀ ମାନେ ବିରୋଧ କରିଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି। ଯାହାକୁ ନେଇ ଗ୍ରାମବାସୀ ମାନେ ଭୟଭୀତ ହୋଇ ସୁରକ୍ଷା ନିମନ୍ତେ ଗୁରୁବାର ବାରିପଦା ଠାରେ ଏସପି ଏସ ସୁଶ୍ରୀଙ୍କୁ ଭେଟି ଗୁହାରି ଜଣାଇଛନ୍ତି। ଉକ୍ତ ବେଲପାଳ ଗ୍ରାମରେ ବିଗତ ୫/୬ବର୍ଷ ହେବ ଗ୍ରାମର ସୁଶାନ୍ତ ନାୟକ, ଅମିର ନାୟକ ଏବଂ ସରୋଜ ନାୟକ ଗ୍ରାମର ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଜାରି ରଖିଛନ୍ତି। କ୍ରମଶଃ ମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସର୍ବସାଧାରଣ ସମ୍ପତିକୁ ମଧ୍ୟ ଆୟତ କରିବା ସହିତ ବେଆଇନ କାରବାର କରି ଗ୍ରାମରେ ଆତଙ୍କରାଜ ଜାରି ରଖିଛନ୍ତି। ତାଙ୍କୁ ବେଆଇନ କାର୍ଯ୍ୟକଳାପରେ ସାହାର୍ଯ୍ୟ କରିବା ନିମନ୍ତେ ଝାଡ଼ଖଣ୍ଡ ରାଜ୍ୟର ସପନ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ପାଖରେ ରହୁଛନ୍ତି।

ଗ୍ରାମର ସ୍କୁଲ ଛକ ପାଖରେ ଥିବା ପ୍ରାୟ ଏକ ଏକର ଗୋଚର ପଡ଼ିଆକୁ ଜବରଦଖଲ କରି ଏଥରେ ନିଜର ଅଫିସ୍, ବାଦାମ ମିଲ ଓ ଗୋଦାମ ଘର କରିଛନ୍ତି। ଉକ୍ତ ଗୋଦାମ ଘରେ ଅନେକ ସମୟରେ ଚୋରା ସାମଗ୍ରୀ ରଖି ଚାଲାଣ କରୁଛନ୍ତି। ଗ୍ରାମର ବୁଢାବଳଙ୍ଗ ପୋଲ ପାଖରେ ପ୍ରାୟ ଏକ ଏକରରୁ ଅଧିକ ଅନ୍ୟ ଏକ ସରକାରୀ ଜମିକୁ ମଧ୍ୟ ଜବରଦଖଲ କରି ଚାଷ କରୁଛନ୍ତି। ଏହାଦ୍ଵାରା ଗ୍ରାମର ଗୋରୁଗାଈ ମାନେ ଚରିବା ପାଇଁ ଗୋଚର ଜମି ମିଳୁନାହିଁ। ସେମାନେ ଗ୍ରାମରେ ଏକ ବେଆଇନ୍ ଇଟା ଭାଟି ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ବ ହେବ ବିନା ସରକାରୀ ଅନୁମତିରେ ଜାରି ରଖିଛନ୍ତି। ଉକ୍ତ ଭାଟିରୁ ମାତ୍ର ୨୦୦ ମିଟର ଦୂରରେ ବିଦ୍ୟାଳୟ ଏବଂ ଜନବସତି ରହିଛି। ତେଣୁ ସ୍କୁଲ ପିଲା ଓ ଜନସାଧାରଣ ଭାଟିରୁ ବାହାରୁଥିବା ଦୂଷିତ ବାୟୁ ଗ୍ରହଣ କରି ବିଭିନ୍ନ ରୋଗଗ୍ରସ୍ତ ହେଉଛନ୍ତି। ଗ୍ରାମରେ ବାଲିଘାଟ ନିଲାମ ନହୋଇ ଖାସ୍ ପଡ଼ିଥିଲା ବେଳେ ବେଆଇନ୍ ଭାବରେ ଉକ୍ତ ଘାଟରୁ ବହୁ ପରିମାଣରେ ବାଲି ନିଜେ ଅନେକ ଜାଗାରେ ଗଚ୍ଛିତ କରି ରଖୁଛନ୍ତି। ଜେ.ସି.ବି ବ୍ୟବହାର କରି ଦୈନିକ ଶହ ଶହ ଟ୍ରିପ୍ ବାଲି ଜିଲ୍ଲା ବାହାରକୁ ଚାଲାଣ କରୁଥିଲେ। ଜେ.ସି.ବି ଦ୍ବାରା ବାଲି ଉତ୍ତୋଳନ କରାଯିବାରୁ ନଦୀରେ ପ୍ରାୟ ୨୦ ଫୁଟରୁ ଅଧିକ ଖାଲ ହୋଇ ଏଥିରେ ପାଣି ଜମା ହୋଇରହିଛି।

ଉକ୍ତ ଗଭୀର ପାଣିରେ ପିଲା ମାନେ ଅନେକ ସମୟରେ ବୁଡ଼ି ଯାଉଛନ୍ତି ଏବଂ ତାଙ୍କୁ ଗ୍ରାମବାସୀ ମାନଙ୍କ ଦ୍ବାରା ଉଦ୍ଧାର କରାଯାଉଛି। ଗ୍ରାମର ମହିଳା ମାନେ ନଦୀକୁ ସ୍ନାନ, ଶୌଚ କରିବା ପାଇଁ ଗଲେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି। ଏହାର ପ୍ରତିବାଦ କଲେ ଗୁଣ୍ଡା ଲଗାଇ ମାରପିଟ୍ କରୁଛନ୍ତି। ଏଥିସହିତ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ଏ ବିଷୟରେ ସ୍ଥାନୀୟ ଥାନା ଏବଂ ତହସିଲକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି। ନିଜର ସୁରକ୍ଷା ପାଇଁ ଗ୍ରାମବାସୀ ମାନେ ମିଳିତ ଭାବରେ ଚୋରା ବାଲି ଚାଲାଣକୁ ବିରୋଧ କରିବାରୁ ଗତ ମାର୍ଚ୍ଚ ୩୧ତାରିଖରେ ରାତିରେ ବଡ଼ସାହି ଥାନା ଅଧିକାରୀ ଏବଂ ତହସିଲଦାର ମିଳିତ ଭାବେ ଏହାର ସରଜମିନ୍ ତଦନ୍ତ କରି ଯାଇଛନ୍ତି। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗ୍ରାମର କିଛି ଆଦିବାସୀ ମହିଳା ଓ ପୁରୁଷଙ୍କ ସମେତ ଅନେକ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମରେ ବିଭିନ୍ନ ସମୟରେ ବେଆଇନ୍ ବନ୍ଧୁକ ରଖିବା, ମାରପିଟ୍ କରିବା, ଅପହରଣ, ଜୀବନରୁ ମାରି ଦେବାକୁ ଉଦ୍ୟମ କରିବା ଭଳି ଅନେକ ସଙ୍ଗୀନ ଅଭିଯୋଗ ପୂର୍ବରୁ କୋର୍ଟରେ ବିଚାରାଧନ ରହିଛି। ଗ୍ରାମର ଦୁଇଟି ସର୍ବସାଧାରଣ ଟ୍ରାନ୍ସଫର୍ମର ଜବରଦଖଲ କରି ରଖିବାରୁ, କୌଣସି ବିପଦ ସମୟରେ ଲାଇନ୍ କାଟିବା ପାଇଁ ସେଠାକୁ ଯାଇ ହେଉନାହିଁ। ଗତ ୫ବର୍ଷ ତଳେ ତତ୍କାଳୀନ ବଡ଼ସାହି ଥାନା ଅଧିକାରୀଙ୍କୁ ଗ୍ରାମ ଛକରେ ଗାଳିଗୁଲଜ କରିବା ସହିତ ଧମକଚମକ ମଧ୍ୟ ଦେଇଥିଲେ। ଯାହାକି ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହା ଦେଖି ସ୍ଥାନୀୟ ଅଧିବାସୀ ମାନେ ଭୟଭୀତ ହୋଇ ରହିଛନ୍ତି। ବିଗତ ୫/୬ବର୍ଷ ମଧ୍ୟରେ ତାଙ୍କର କଳା ସମ୍ପତିର ମୂଲ୍ୟ ଅନେକ ଗୁଣରେ ବଢି ଯାଇଥବାର ଅନୁମାନ କରାଯାଉଛି। କିଛି ଆଦିବାସୀ ମାନଙ୍କ ଜମିକୁ ଅନ୍ୟ ଆଦିବାସୀଙ୍କ ନାମରେ କିଣି ନିଜେ ଭୋଗଦଖଲ କରୁଛନ୍ତି।

ଉକ୍ତ ବ୍ୟକ୍ତିଙ୍କ ସମସ୍ତ ବେଆଇନ୍ କାର୍ଯ୍ୟକୁ ଜୀବନ ଭୟରେ କେହି ପ୍ରତିବାଦ କରିବାକୁ ସାହସ କରୁନାହାନ୍ତି। ଚୋରା ବାଲି ଚାଲାଣକୁ ଗ୍ରାମବାସୀ ମାନେ ଜଗୁଥିବା ବେଳେ ବଡ଼ସାହି ଥାନା ଅଧିକାରୀ ଏହାକୁ ବିରୋଧ କରୁଛନ୍ତି। ବାଲି ଜଗିବା କାମ ଗ୍ରାମବାସୀଙ୍କ ନୁହେଁ ଏହା ପୋଲିସ୍‌ର କାମ। ଯଦି ଚୋରା ବାଲି ଗାଡ଼ିକୁ ଗ୍ରାମବାସୀ ମାନେ ଅଟକାଇବେ ତା’ହେଲେ ତାଙ୍କ ବିରୋଧରେ କେସ୍ କରି କୋର୍ଟ ଚାଲାଣ କରିବାକୁ ମଧ୍ୟ ଧମକ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତେଣୁକରି ଗ୍ରାମବାସୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଜବରଦଖଲ ଗୋଚର ପଡ଼ିଆକୁ ମୁକ୍ତ କରିବା ଏବଂ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁହାରି ଜଣାଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ପ୍ରଦୀପ କୁମାର ଜେନା, ରବୀନ୍ଦ୍ର ବିଶୋଇ, ସାଜନ ସିଂ, ମାନସ ରଞ୍ଜନ ଭୂୟାଁ ସମେତ ଅନ୍ୟାନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଦାବିପତ୍ର ଏକ ନକଲ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ, ଜିଲ୍ଲାପାଳ ଓ ଲଘୁ ଖଣିଜ ଦ୍ରବ୍ୟର ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି।

Leave A Reply

Your email address will not be published.