ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭେଟେରାନ ରେସଲର ଭିନେଶ ଫୋଗଟ କଂଗ୍ରେସରେ ଯୋଗଦେବା ପୂର୍ବରୁ ରେଳବାଇରେ ଚାକିରି ଛାଡିଛନ୍ତି। ଉତ୍ତର ରେଳବାଇରେ ଭିନେଶ ଫୋଗଟଙ୍କୁ ଓଏସ୍ଡି / ସ୍ପୋର୍ଟସ ଭାବରେ ନିଯୁକ୍ତି କରାଯାଇଥିଲା। ବିନେଶ ରେଳବାଇ ଚାକିରିରୁ ଇସ୍ତଫା ଦେଇ କହିଛନ୍ତି, ‘ରେଳବାଇରେ ଚାକିରି କରିବାର ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ସ୍ମୃତି ହୋଇ ରହିବ। ଏହି ମୁହୂର୍ତ୍ତ ମୋ ପାଇଁ ଗୌରବ। ରେଳ ପରିବାର ପ୍ରତି ମୁଁ ସର୍ବଦା କୃତଜ୍ଞ। ଜୀବନର ଏହି ମୁହୂର୍ତ୍ତରେ ମୁଁ ନିଜସ୍ବ ଭାବେ ରେଳସେବାରୁ ଓହରି ଯିବା ପାଇଁ ନିଷ୍ପତ୍ତି ନେଇଛି।
ଏଥିପାଇଁ ମୋ ଉପରେ କେହି ଚାପ ପକାଇ ନାହାନ୍ତି। ମୋର ଇସ୍ତଫା ପତ୍ର ରେଳ ଅଧିକାରୀଙ୍କ ନିକଟରେ ଦାଖଲ କରିଛି। ଦେଶର ସେବା ପାଇଁ ରେଳବାଇ ଦ୍ବାରା ଦିଆଯାଇଥିବା ଏହି ଅବସର ପାଇଁ ମୁଁ ଭାରତୀୟ ରେଳ ପରିବାର ପାଖରେ ଚିର ଋଣୀ। ଏହି ପରିବାରର ସାହାଯ୍ୟ ଓ ସହଯୋଗକୁ ମୁଁ କଦାପି ଭୁଲି ପାରିବି ନାହିଁ। ସୂଚନା ଅନୁସାରେ, କୁସ୍ତିଯୋଦ୍ଧା ବିନେଶ ଓ ବଜରଙ୍ଗ ପୁନିଆ ଆଜି ଅଧିକାରିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଉଭୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ।
ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ। ଦୁହେଁ ହରିୟାଣା ନିର୍ବାଚନ ଲଢ଼ିବାର ଯୋଜନା ରହିଛି। ଦୁଇ ଦିନ ପୂର୍ବେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସର ପୂର୍ବତନ ସଭାପତି ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେବେଠାରୁ ଚର୍ଚ୍ଚା ହେଉଥିଲା ଯେ ଫୋଗାଟ୍ ଏବଂ ପୁନିଆ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି। ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ଟିକେଟ୍ ସମ୍ପର୍କରେ ଦଳ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ।