ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଭାଙ୍ଗିଲେ ନିୟମ । ଫେରାଦ ହେଲା କଂଗ୍ରେସ । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ । ଶୂନ୍ୟକାଳରେ ନୋଟିସ୍କୁ ଗ୍ରହଣ କଲେ ବାଚସ୍ପତି ସୁରମା ପାଢୀ । ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା କୋହଳ ଘୋଷଣାରେ କିଛି ଏମିତି ଅଭିଯୋଗ ଆଣିଛି କଂଗ୍ରେସ । ଶୂନ୍ୟକାଳରେ ଏହି ନୋଟିସକୁ ବାଚସ୍ପତି ଗ୍ରହଣ କରିବାପରେ ଆଲୋଚନା ହୋଇଛି ।
ଅଗ୍ନିବୀର ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ହଟ୍ଟଗୋଳ ହୋଇଥିଲା । ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା କୋହଳ ଘୋଷଣା ନେଇ ଗୃହ ଭିତରେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ହୋହଲ୍ଲା କରାଯାଇଛି । ଅନ୍ୟପକ୍ଷରେ ଶାସକ ବିଜେପି ମଧ୍ୟ କଂଗ୍ରେସ ବିରୋଧରେ ପାଲଟା ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଛି । ଏଡ଼େଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ । ଈରାଶିଷ କହିଛନ୍ତି, କଂଗ୍ରେସ ସ୍ବାଧିକାର ନୋଟିସ୍ ଆଣିବ, ଏହା କିପରି ଗଣମାଧ୍ୟମକୁ ଆସିଲା । ବାଚସ୍ପତିଙ୍କ ବିନା ଅନୁମତିରେ ଖବର କିପରି ପ୍ରକାଶ ପାଇଲା ବୋଲି ପଚାରି ଏହାବି ନିୟମ ଭଙ୍ଗ ବୋଲି କହିଛନ୍ତି ବିଧାୟକ ।
ସୂଚନା ଅନୁସାରେ ଗତ ୨୬ ତାରିଖରେ ଗୃହ ଚାଲିଥିବା ବେଳେ ଅଗ୍ନିବୀରଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିଥିଲେ । ବିଧାନସଭା ବା ସଂସଦୀୟ ନିୟମ ଅନୁସାରେ ଅଧିବେଶନ ଚାଲିଥିବା ବେଳେ କୌଣସି ନୀତିଗତ ନିଷ୍ପତି ଗୃହ ବାହାରେ ଘୋଷଣା କରାଯାଇପାରିବ ନାହିଁ। ଏହାକୁ ପ୍ରଥମେ ଗୃହରେ ଘୋଷଣା କରିବାର ଆବଶ୍ୟକତା ରହିଛି। ହେଲେ ମୁଖ୍ୟମନ୍ତ୍ରୀ ଏହି ନିୟମ ଭାଙ୍ଗିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।