ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଓଡ଼ିଶାର ଏକ ଗଣପର୍ବ ହେଉଛି ମା’ ଦୁର୍ଗାଙ୍କର ପୂଜା ଦୁର୍ଗାପୂଜା । ଓଡ଼ିଶାର ପ୍ରତ୍ୟେକ କୋଣାନୁକୋଣରେ ଏହି ପୂଜାକୁ ବେଶ୍ ଆଡମ୍ବରରେ ପାଳନ କରାଯାଇଥାଏ । ବିଶେଷ କରି ନ ଦିନ ଧରି ମା’ଙ୍କୁ ପୂଜା କରାଯାିଥାଏ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ “ନବରାତ୍ରି” ସହିତ ପାଳିତ ହୋଇଆସୁଛି । ଦଶହରା ଅବସରରେ ଖଣ୍ଡା, ଢାଲ,ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦିରେ ବର୍ଣ୍ଣିତ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ ।
ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜ ଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷ ରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳ ଦ୍ଵାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗ ଦ୍ଵାରା ଶିରଚ୍ଛେଦ କଲେ ।
ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ଵିନରେ ଏହି ପୂଜା କରିଥିଲେ, ସେବେ ଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ଵିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କ ଦ୍ଵାରା ମା’ ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ । ତେଣୁ ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ମା’ଙ୍କୁ ଏହି ନ ଦିନ ଧରି ପୂଜା କରାଯାଇଥାଏ ।