ବିଶ୍ୱ ହୁଇଲ ଚେୟାର ଦିବସରେ ହୁଇଲ ଚେୟାର ବଞ୍ଚିତ ଦିବ୍ୟାଙ୍ଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରମ୍ବାର ଗୁହାରି କରି ମଧ୍ୟ ଦିବ୍ୟାଙ୍ଗଙ୍କୁ ମିଳୁନାହିଁ ହୁଇଲ ଚେୟାର ଓ ସରକାରୀ ସହାୟତା। ଚଳପ୍ରଚଳ ପାଇଁ ବୁଢା ବାପା ଉପରେ ନିର୍ଭର କରୁଥିବା ବେଳେ ହୁଇଲ ଚେୟାର ଖଣ୍ଡିକ ମିଳୁନାହିଁ। ଯାହାକୁ ନେଇ ଶୁକ୍ରବାର ବିଶ୍ୱ ହୁଇଲ ଚେୟାର ଦିବସରେ ହୁଇଲ ଚେୟାର ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ ଜଣକ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି ଜଣାଇଛନ୍ତି। ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୁଢା ବାପାଙ୍କ ସହିତ ଆସି ଗୁହାରି ଜଣାଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଝାଟିଅଡା ଗ୍ରାମର ପ୍ରଭାସଚନ୍ଦ୍ର ଦାସଙ୍କ ପୁଅ ରାଜେଶ୍ୱର ଦାସ(୩୦) ଜନ୍ମରୁ ଦିବ୍ୟାଙ୍ଗ ଅଟନ୍ତି। ସେ ଚଳପ୍ରଚଳ ପାଇଁ ଅକ୍ଷମ ଥିବା ବେଳେ କେଉଁଠି କି ଯିବାକୁ ହେଲେ ବାପାଙ୍କ ଉପରେ ନିର୍ଭର କରନ୍ତି। ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ କରିବା ପରେ ସ୍ୱାବଲମ୍ବୀ ହେବା ପାଇଁ ଘର ନିକଟରେ ଏକ ପାନ ଦୋକାନ ଖୋଲିଛନ୍ତି। କିନ୍ତୁ ଦୋକାନକୁ ଯିବା ଆସିବା କରିବା ପାଇଁ ହୁଇଲ ଚେୟାର ଟିଏ ନଥିବାରୁ ବାପା ଉପରେ ନିର୍ଭରଶୀଳ ଅଟନ୍ତି। ବୃଦ୍ଧ ବୟସରେ ବାପା ପ୍ରଭାସଚନ୍ଦ୍ର ପୁଅକୁ ନେବା ଆଣିବାରେ ଅସୁବିଧା ହେଉଥିବା ବେଳେ ଏକ ହୁଇଲ ଚେୟାର ପ୍ରଦାନ କରିବାକୁ ଆବେଦନ କରିଥିଲେ। କିନ୍ତୁ ବାରମ୍ବାର ଆବେଦନ ପରେ ମଧ୍ୟ ସେ ହୁଇଲ ଚେୟାରଟି ପାଇଲେ ନାହିଁ।

ପୁଅ ଲାଗି ସରକାରୀ ସହାୟତା ପାଇଁ ପୁଅକୁ କୋଳରେ ବୋହି ବୋହି ବ୍ଲକରୁ ଜିଲ୍ଲା ଅଫିସ ପର୍ଯ୍ୟନ୍ତ ଗତ ୩ବର୍ଷ ହେବ ଦୌଡି ଦୌଡି ନୟାନ୍ତ ହେଇଗଲେଣି। ବାରମ୍ବାର ସେମାନଙ୍କୁ ହେଇଯିବ ବୋଲି କହି ଅଧିକାରୀ ମାନେ ଫେରାଇ ଦେଇଛନ୍ତି। ଯାହା ଫଳରେ ଦିବ୍ୟାଙ୍ଗ ହୋଇ ମଧ୍ୟ ରାଜେଶ୍ୱର ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏଥି ସହିତ ଅନ୍ତର୍ଦ୍ୱୟ ଯୋଜନାରେ ସେ ୩୫କିଲୋ ଚାଉଳ ପାଇବାର ଯୋଗ୍ୟ ଥିବା ବେଳେ ମଧ୍ୟ ରାସନ କାର୍ଡଟିଏ ମଧ୍ୟ ହୋଇପାରିଲା ନାହିଁ। ଦିବ୍ୟାଙ୍ଗ ପୁଅ ପାଇଁ ସହାୟତା ମାଗି ବୃଦ୍ଧ ବୟସରେ ବାପା ପ୍ରଭାସଚନ୍ଦ୍ର ବାରମ୍ବାର ଅଫିସ ବୁଲି ଗୁହାରି କରୁଥିଲେ ସୁଦ୍ଧା ସହାୟତା ମିଳିପାରିଲାନାହିଁ। ଆଜି ବାରିପଦା ଠାରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ଭେଟି ସମସ୍ୟା ବାବଦରେ ଜଣାଇଥିବା ବେଳେ ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରାଯାଇଛି।

Leave A Reply

Your email address will not be published.