ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆମ ଶ୍ରଦ୍ଧା ସମ୍ମାନର ପ୍ରତୀକ ହେଉଛି ତ୍ରିରଙ୍ଗା । ଯେତେବେଳେ ଭାରତ ଆକାଶରେ ତ୍ରିରଙ୍ଗା ଫର ଫର ହୋଇ ଉଡେ, ସେତେବେଳେ ଆମ ଛାତି ଗର୍ବରେ ଫୁଲି ଉଠେ । ତିନି ରଙ୍ଗର ସମାହାର ତ୍ରିରଙ୍ଗା । କୋଟି ଭାରତୀୟଙ୍କ ସ୍ୱାଭିମାନ, ଗର୍ବ, ସମ୍ମାନର ପ୍ରତୀକ ଏହି ତ୍ରିରଙ୍ଗା । ହେଲେ ଜାଣନ୍ତି, ଆମ ଜାତୀୟ ପତାକା ତ୍ରିରଙ୍ଗାକୁ କିଏ ଡିଜାଇନ କରିଛନ୍ତି? ତେବେ ଆସନ୍ତୁ ଜାଣିବା ।
ପିଙ୍ଗଲି ଭେଙ୍କୟା ଆମ ତ୍ରିରଙ୍ଗ ପତାକା ଡିଜାଇନ୍ ଳକରିଥିଲେ । ୧୮୭୬ ମସିହା ଜନୁଆରୀ ୨ ତାରିଖରେ ଆନ୍ଧ୍ର ପ୍ରଦେଶର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ ପିଙ୍ଗଲି ଭେଙ୍କୟା । ଯୁବାବସ୍ଥାରେ ପିଙ୍ଗଲି ବ୍ରିଟିଶ ସେନାରେ ସାମିଲ ହୋଇଥିଲେ । ହେଲେ ଗାନ୍ଧିଜୀଙ୍କ ସହ ସାକ୍ଷାତ ତାଙ୍କ ଜୀବନର ଗତି ବଦଳାଇ ଦେଇଥିଲା । ୧୯ ବର୍ଷ ବୟସରେ ପିଙ୍ଗଳି ବ୍ରିଟିଶ ସେନାରେ ସାମିଲ ହୋଇଥିଲେ । ହେଲେ ତାଙ୍କର ମନ କାନ୍ଦୁଥିଲା ଦେଶ ପାଇଁ ।
ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ସହ ପିଙ୍ଗଲିଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ତା’ପରେ ସେ ଗାନ୍ଧିଜୀଙ୍କ ଆଦର୍ଶରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସବୁଦିନ ପାଇଁ ଭାରତ ଫେରି ଆସିଥିଲେ। ପରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ ।
୩୦ଟି ଦେଶର ଜାତୀୟ ପତାକାକୁ ଅନୁଧ୍ୟାନ କରିବା ପରେ ଭାରତର ଜାତୀୟ ପତାକାର ଡିଜାଇନ କରିଥିଲେ ଭେଙ୍କୟା। ଏଥିପାଇଁ ସେ ୧୯୧୬ରୁ ୧୯୨୧ ପର୍ୟ୍ୟନ୍ତ ଗବେଷଣା କରିଥିଲେ । ୧୯୧୬ରେ ଭାରତୀୟ ଜାତୀୟ ପତାକାକୁ ନେଇ ସେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ । ସେତେବେଳେ ତ୍ରିରଙ୍ଗା ପତାକାର ରଙ୍ଗ ଥିଲା ନାଲି ଯାହା ହିନ୍ଦୁମାନଙ୍କ ପାଇଁ ଥିଲା । ସବୁଜ ରଙ୍ଗ ମୁସ୍ଲିମ୍ ଧର୍ମର ପ୍ରତୀକ ଥିଲା। ଧଳା ରଙ୍ଗ ଅନ୍ୟ ସମସ୍ତ ଧର୍ମର ପ୍ରତୀକ ଥିଲା। ମଝିରେ ଥିଲା ଚରଖା । ୧୯୨୧ରେ ମହାତ୍ମାଗାନ୍ଧି କଂଗ୍ରେସର ବିଜୟୱାଡ଼ା ଅଧିବେଶନରେ ପିଙ୍ଗଲି ଭେଙ୍କୟା ଡିଜାଇନ କରିଥିବା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ମଞ୍ଜୁରି ଦେଇଥିଲେ। ୧୯୩୧ରେ ତ୍ରିରଙ୍ଗାକୁ ଜାତୀୟ ପତାକା କରିବାର ପ୍ରସ୍ତାବ ପାସ ହୋଇଥିଲା। ତେବେ ଏଥିରେ କିଛି ସଂଶୋଧନ କରାଯାଇଥିଲା। ନାଲି ରଙ୍ଗ ବଦଳରେ କମଳା ରଙ୍ଗ ରଖାଗଲା। ୧୯୪୭ ଜୁଲାଇ ୨୨ ତାରିଖରେ ଏହି ପତାକାକୁ ଜାତୀୟ ପତାକାର ମାନ୍ୟତା ଦିଆଗଲା।
କିଛି ଦିନ ପରେ ପୁଣି ଏହାର ପରିବର୍ତ୍ତନ କରାଗଲା। ଚରଖା ଜାଗାରେ ଅଶୋକଚକ୍ର ରଖାଯାଇଥିଲା। କୁହାଯାଏ, ଚରଖା ହଟାଇବାକୁ ନେଇ ମହାତ୍ମାଗାନ୍ଧି କ୍ଷୁବ୍ଧ ହୋଇଥିଲେ । ଏବେ ତ୍ରିରଙ୍ଗାର ତିନି ରଙ୍ଗର ଅର୍ଥ ବି ବଦଳି ଯାଇଛି। କମଳା ରଙ୍ଗ ସମୃଦ୍ଧି, ଧଳା ରଙ୍ଗ ଶାନ୍ତି ଏବ ସବୁଜ ରଙ୍ଗ ପ୍ରଗତିର ସଙ୍କେତ ବୋଲି କୁହାଯାଉଛି । ଦେଶକୁ ତ୍ରିରଙ୍ଗା ଦେଇଥିବା ପିଙ୍ଗଲିଙ୍କ ଶେଷ ଜୀବନ ବହୁତ ଦାରିଦ୍ର୍ୟତାରେ କଟିଥିଲା । ଏକ ଝୁମ୍ପୁଡ଼ି ଘରେ ୧୯୬୩ ମସିହାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।