ସଚିବାଳୟରେ କହିଁକି ସାଧାରଣ ଲୋକଙ୍କୁ ପ୍ରବେଶ ମିଳୁନି? ସତ୍ୟପାଠ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଚିବାଳୟରେ ସାଧାରଣ ଲୋକ ପ୍ରବେଶକୁ ନେଇ ଅନୁମତି ମିଳୁ ନ ଥିବା ବେଳେ ଏ ନେଇ ଆଗତ ମାମଲାରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ସଚିବାଳୟ କୋଠା ‘ଲୋକସେବା ଭବନ’କୁ ଆବଶ୍ୟକ ବେଳେ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ପାସ୍ ଦିଆଯାଉ ନାହିଁ। ଏପରି କି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ଥିବା ବିଧିସମ୍ମତ କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ ମାମଲାର ଶୁଣାଣିରେ ଅଂଶଗ୍ରହଣ ପାଇଁ ବି ସଚିବାଳୟ କୋଠା ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ।

ଫଳରେ ବିଭିନ୍ନ ମାମଲାର ପକ୍ଷ ତଥା ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ହାଇକୋର୍ଟ ଏଭଳି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ରାଜ୍ୟ ଗୃହ ବିଭାଗ ନିକଟରୁ ଜବାବ ତଲବ କରିଛନ୍ତି। ସମସ୍ୟା ସମାଧାନ ଖୋଜି ବାହାର କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏ ନେଇ ଗୃହ ବିଭାଗକୁ ସତ୍ୟପାଠ ଦାଖଲ ପାଇଁ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ବିଧିସମ୍ମତ କର୍ତ୍ତୃପକ୍ଷଙ୍କ ନିକଟରେ ଯେଉଁ ବ୍ୟକ୍ତିମାନଙ୍କ ମାମଲା ବିଚାରାଧୀନ ରହିଛି ସେମାନଙ୍କୁ ଶୁଣାଣିରେ ଅଂଶଗ୍ରହଣ ପାଇଁ ସଚିବାଳୟ କୋଠା ଭିତରକୁ ପ୍ରବେଶ ଲାଗି କେମିତି ଅନୁମତି ମିଳିବ ସେ ସମ୍ପର୍କରେ ସତ୍ୟପାଠରେ ସ୍ପଷ୍ଟ କରିବାକୁ ହାଇକୋର୍ଟ କହିଛନ୍ତି। ଏକ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ଗୃହ ବିଭାଗ ଅତିରିକ୍ତ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କ୍ୟୁ.ସୁଲତାନାଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.