ଟଙ୍କା ଉଠାଉଛନ୍ତି କି? ଅନ୍ୟ ବ୍ୟାଙ୍କ ଏଟିଏମରେ ଲାଗିବ ଚାର୍ଜ; ଜାଣନ୍ତୁ କେତେ…

0

ଏଣିକି ଏଟିଏମରୁ ଟଙ୍କା ଉଠାଉଥିଲେ ହୋଇଯାଆନ୍ତୁ ସତର୍କ । ଏଟିଏମ୍ ଜରିଆରେ ହେଉଥିବା ସମସ୍ତ ନେଣଦେଣ ଉପରେ ଲାଗିବ ଅଧିକ ଫି’ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସେହି ଅନୁସାରେ ଫି’ ୧୫ ଟଙ୍କାରୁ ବୃଦ୍ଧି ପାଇଁ ୧୭ ଟଙ୍କା ଲାଗିବ ବୋଲି ଜଣାପଡ଼ିଛି । ତେବେ ଏହି ନିୟମ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ଲାଗୁ ହେବ । ଅର୍ଥାତ୍ ଇଂରାଜୀ ନୂଆବର୍ଷ ଆରମ୍ଭରୁ ଏଟିଏମ୍ କାରବାର ପାଇଁ ଅଧିକ ଶୁଳ୍କ ଦେବାକୁ ପଡ଼ିବ ।

ସେହିପରି କୌଣସି ବ୍ୟାଙ୍କର ଗ୍ରାହକ ନିଜସ୍ୱ ଏଟିଏମ୍ ଜରିଆରେ ନିଃଶୁଳ୍କ ଟଙ୍କା ଉଠାଣ କରିବାର ଅବଧି ସରିଯିବା ପରେ ଦେଉଥିବା ଫି’ ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଏଥିପାଇଁ ୨୦ ଟଙ୍କା ଚାର୍ଜ ଲାଗୁଥିବାବେଳେ ଏଣିକି ୨୧ ଟଙ୍କା ଲାଗିବ ବୋଲି ଆରବିଆଇ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗ୍ରାହକଙ୍କ ପାଇଁ ପ୍ରତି ମାସରେ ନିଜସ୍ୱ ବ୍ୟାଙ୍କ ଏଟିଏମରୁ ୫ ଥର ନିଃଶୁଳ୍କ ଟଙ୍କା ଉଠାଣ ପାଇଁ ସୁଯୋଗ ରହିଛି ।

ସୂଚନା ଅନୁସାରେ ଏହା ପୂର୍ବରୁ ୨୦୧୨ ଅଗଷ୍ଟରେ ଏଟିଏମ୍ ଇଣ୍ଟରଚେଞ୍ଜ୍ ଫି’ରେ ପରିବର୍ତ୍ତନ କରାଯାଇଥିଲା । ସେହିପରି ଗ୍ରାହକଙ୍କୁ ଲାଗୁଥିବା ଫି’କୁ ୨୦୧୪ରେ ସଂଶୋଧନ କରାଯାଇଥିଲା । ବ୍ୟାଙ୍କ ଓ ଏଟିଏମ୍ ଅପରେଟର୍ସଙ୍କ ଉପରେ ଭାରୀ ପଡୁଥିବା ପରିଚାଳନାଗତ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଆଦିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଅଣ-ଅର୍ଥନୀତିକ କାରବାର (ନନ୍-ଫାଇନାନ୍ସିଆଲ୍ ଟ୍ରାଞ୍ଜେକ୍ସନ) ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଫି’ ୫ରୁ ୬ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ଆସନ୍ତା ଅଗଷ୍ଟ ୧ରୁ ଲାଗୁ ହୋଇଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.