ଗତକାଲି ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ପହଣ୍ଡି ବିଜେ, ଆଜି ହେବ ରଥ ଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତକାଲି ୨ୟ ଶ୍ରୀକ୍ଷେତ୍ର ବାରିପଦା ରେ ଶ୍ରୀଶ୍ରୀ ହରି ବଳଦେବ ଜୀଉ ମାନେ ଗୋଟି ପହଣ୍ଡିରେ ରଥାରୂଢ଼ ହୋଇଛନ୍ତି। ପରମ୍ପରା ଅନୁସାରେ ପୁରୀ ରଥ ଦିନ ଏଠାରେ ପହଣ୍ଡି ଏବଂ ତା ପରଦିନ ଠାରୁ ଦୁଇଦିନ ଧରି ଏଠାରେ ଅନୁଷ୍ଠିତ ହୁଏ ରଥଯାତ୍ରା। ଏଥି ମଧ୍ୟରେ ଏବର୍ଷ ବାରିପଦା ରେ ଏକ ପୁରାତନ ପରମ୍ପରା ର ପୁନରାବୃତ୍ତି ଘଟିଛି। ୭୫ ବର୍ଷ ପରେ ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ଛେରାପହଁରା କରିଛନ୍ତି ନିଜେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ଆରମ୍ଭରୁ ଏହା ଶତାଧିକ ବର୍ଷ ଧରି ଚାଲିଆସିଥିବା ବେଳେ ଗଡ଼ଜାତ ରାଜ୍ୟ ମୟୂରଭଞ୍ଜ’ ଓଡ଼ିଶାରେ ସାମିଲ ହେବା ପରେ ୧୯୪୯ ମସିହାରେ ତତ୍କାଳୀନ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ତାଙ୍କର ସବୁକିଛି ସମ୍ପତ୍ତି ଓଡିଶା ସରକାରଙ୍କୁ ହସ୍ତାନ୍ତର କରି ମୟୂରଭଞ୍ଜ ଛାଡି ଚାଲିଯାଇଥିଲେ ଏବଂ ସେହି ସମୟରେ ମୟୂରଭଞ୍ଜ ର ଅନେକ ପାରମ୍ପରିକ କାର୍ଯ୍ୟ ଯାହା ରାଜାଙ୍କ ପୌରହିତ ରେ ଅନୁଷ୍ଠିତ ହେଉଥିଲା ରାଜାଙ୍କ ଅନୁମତି ଦ୍ୱାରା ରାଜାଙ୍କର ଅନୁଗତ ହିସାବରେ ପରିଛା ମନେ ଏହି ପରମ୍ପରା କୁ ବଜାୟ ରଖି ଆସୁଛନ୍ତି।

ବର୍ତ୍ତମାନ ସମୟରେ ମୟୂରଭଞ୍ଜ ରାଜବଂଶର ଉତ୍ତରାଧିକାରୀ ଅର୍ଥାତ୍ ସ୍ବର୍ଗତ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଙ୍କ ନାତି ତଥା ସ୍ବର୍ଗତ ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓ ଙ୍କ ସୁପୁତ୍ର ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ସ୍ବପରିବାରେ ଦୀର୍ଘ ବର୍ଷ ଧରି ବାରିପଦା ଠାରେ ବେଳଗଡ଼ିଆ ପେଲେସ୍ ରେ ରହିଆସୁଛନ୍ତି। ତେଣୁ ଗତବର୍ଷ ମୟୂରଭଞ୍ଜ ଜିଲ୍ଲାର କିଛି ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀକ୍ଷେତ୍ର ପୁରୀ ଭଳି ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଛେରାପହଁରା କରିବା ପାଇଁ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଙ୍କୁ ପ୍ରସ୍ତାବ ଦେଇଥିଲେ। ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏଥିନେଇ ନିଜର ଇଚ୍ଛା ବ୍ୟକ୍ତ କରିବା ପରେ ଜିଲ୍ଲାପାଳଙ୍କ ନିକଟରେ ଏନେଇ ଆବେଦନ ପତ୍ର ଦିଆଯିବା ପରେ ନିକଟରେ ଏହାର ଅନୁମତି ପତ୍ର ମଧ୍ୟ ଆସିଛି। ତେଣୁ ଦୀର୍ଘ ୭୫ ବର୍ଷ ପରେ ଚଳିତ ବର୍ଷ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପୁଣି ଥରେ ଏହି ରାଜ ପରମ୍ପରା ର ପୁନରାବୃତ୍ତି ହୋଇଛି। ମୟୂରଭଞ୍ଜ ରାଜବଂଶର ଦାୟାଦ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଦ୍ଵିତୀୟ ଶ୍ରୀକ୍ଷେତ୍ରର ତିନି ରଥରେ ଗତକାଲି ଛେରାପହଁରା କରିବା ପରେ ରଠାରୁଢ଼ ହୋଇଛନ୍ତି ତିନି ଠାକୁର। ଏବଂ ଏଥିପାଇଁ ନିଜକୁ ଧନ୍ୟ ମନେକରିବା ସହ ଏହା ତାଙ୍କ ପାଇଁ ଏକ ବଡ଼ ସୌଭାଗ୍ୟର କଥା ବୋଲି କହିଛନ୍ତି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ପରମ୍ପରା ଅନୁସାରେ ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ ତିନିଠାକୁର ରଥ ଉପରେ ଭକ୍ତ ଙ୍କୁ ମୁକ୍ତ ଦର୍ଶନ ଦେବେ। ଆଜି ଅପରାହ୍ନ ଓ ଆସନ୍ତାକାଲି ଅପରାହ୍ନରେ ବାରିପଦା ରେ ହେବ ରଥଟଣା।

ସେପଟେ ଆଜି ମହିଳା ଙ୍କ ସହିତ ସୁଭଦ୍ରା ରଥ ଟାଣିବେ ଉପ ମୁଖ୍ୟମନ୍ତ୍ରୀ। ୨ୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାର ଅନେକ ଅନନ୍ୟ ପରମ୍ପରା ମଧ୍ୟରୁ କେବଳ ମହିଳା ମାନେ ମାଆ ସୁଭଦ୍ରା ଙ୍କ ରଥ ଟାଣିବା ଅନ୍ୟତମ। ୨ ଦିନ ଧରି ହେଉଥିବା ରଥଟଣା ରେ ପ୍ରଥମ ଦିନ ମାଆ ସୁଭଦ୍ରା ଙ୍କ ରଥ ଅଧା ବାଟ ଟଣାଯାଇ ପୁଣି ତହିଁ ପରଦିନ ଆଉ ଅଧା ବାଟ ଟଣାଯାଇ ଗୁଣ୍ଡିଚା ମନ୍ଦିର ରେ ପହଞ୍ଚେ। ଆଉ ଏହି ଦୁଇଦିନ ଧରି ମାଆ ସୁଭଦ୍ରା ଙ୍କ ଦର୍ପ ଦଳନ କୁ କେବଳ ମହିଳା ମାନେ ଟାଣନ୍ତି । ପ୍ରତିବର୍ଷ ବହୁ ଗଣ୍ୟମାନ୍ୟ ମହିଳା ଏହି ରଥଟଣା ରେ ଭାଗ ନିଅନ୍ତି। ଏବର୍ଷ ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବାରିପଦା ଆସି ଏହି ନିଆରା ପରମ୍ପରା ରେ ଭାଗ ନେବା ର କାର୍ଯ୍ୟକ୍ରମ ରହିଛି। ଉପମୁଖ୍ୟ ମନ୍ତ୍ରୀ ପ୍ରଥମଥର ଲାଗି ବାରିପଦା ଆସି ରଥଟଣା ରେ ଭାଗନେବା ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ସହିତ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହା ଜିଲ୍ଲାବାସୀ ଙ୍କ ଲାଗି ଏକ ଗର୍ବ ର କଥା ବୋଲି କହିଛନ୍ତି ଜିଲ୍ଲାପାଳ।

Leave A Reply

Your email address will not be published.