ପାର୍କରେ ବସିଥିବା ଯୁବକ ଯୁବତୀଙ୍କୁ ଉଠାଇ ଆଣି ଯାଜପୁର ଥାନା ସମ୍ମୁଖରେ ଆଣ୍ଠେଇ ଦେବା ଘଟଣା: ପୋଲିସ ଅଫିସରଙ୍କୁ କାଉନସେଲିଂ କରିବାକୁ ପୋଲିସ ଡ଼ିଜିଙ୍କୁ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ୨୦୧୩ ମସିହା ଜାନୁଆରୀ ୧୫ ତାରିଖରେ ଯାଜପୁର ତ୍ରିଲୋଚନଶ୍ୱର ପାର୍କରେ ବସିଥିବା ଯୁବକ ଯୁବତୀଙ୍କୁ ଉଠାଇ ଆଣି ଯାଜପୁର ଥାନା ସମ୍ମୁଖରେ ଆଣ୍ଠେଇ ଦେବା ଘଟଣାରେ ଆଗତ ମାମଲାର ଶୁଣାଣି କରି ସାଧାରଣ ନାଗରିକଙ୍କର ମାନବିକ ଅଧିକାର ଯେଭଳି କ୍ଷୁର୍ଣ୍ଣ ନ ହେବ ସେଥିପାଇଁ କାର୍ଯ୍ୟରତ ପୋଲିସ ଅଫିସରଙ୍କୁ ନିୟମିତ ଅନ୍ତରରେ କାଉନସେଲିଂ କରିବାକୁ ପୋଲିସ ଡ଼ିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଏହି ଘଟଣାରେ ସଂପୃକ୍ତ ଇନିସ୍ପେକ୍ଟରଙ୍କୁ ତାଗିଦ କରାଯାଇଥିବା ହାଇକୋର୍ଟଙ୍କୁ ଗତ ଏପ୍ରିଲ ୪ ତାରିଖରେ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଅଦାଲତଙ୍କ ନଜରକୁ ଆଣିଥିବାରୁ ଆବେଦନକାରୀଙ୍କୁ ପ୍ରଶଂସା କରିଛନ୍ତି ହାଇକୋର୍ଟ। ଏହା ସହିତ ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି ହାଇକୋର୍ଟ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିବା ସହିତ ରାଜ୍ୟ ମାନବିକ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସଂପୃକ୍ତ ଇନିସ୍ପେକ୍ଟର ଆଲୋକ ରଞ୍ଜନ ରାୟଙ୍କୁ ତାଗିଦ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଗତ ଜାନୁଆରୀ ୯ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସରକାର ଏ ସମ୍ପର୍କରେ କଣ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସେ ସମ୍ପର୍କରେ ସତ୍ୟପାଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଏଭଳି ନାଗରିକଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣ କରି ପାରିବ ନାହିଁ କିମ୍ବା ତାଲିବାନ ଭଳି ବ୍ୟବହାର କରି ପାରିବ ନାହିଁ ବୋଲି ଆବେଦନରେ ଦର୍ଶାଯାଇଥିଲା।ତେଣୁ ଏହି ଘଟଣାର ଉପଯୁକ୍ତ ତଦନ୍ତ, କ୍ଷତିପୂରଣ ଓ ପୋଲିସ ଏଭଳି ନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ମାନବିକ ଅଧିକାର କର୍ମୀ ଆଇନଜୀବୀ ପ୍ରବୀର ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଥିଲା।

Leave A Reply

Your email address will not be published.