ପୁନେରେ ‘ଚତୁର୍ଥ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ଦେଶର ଶିକ୍ଷା ମନ୍ତ୍ରୀ ଏବଂ ୟୁନିସେଫ୍ ଓ ଓଇସିଡିର ପ୍ରତିନିଧିଙ୍କ ସହ ସାକ୍ଷାତ୍ କଲେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁନେ, ଜୁନ ୨୧ – ଭାରତର ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୁନେ ଠାରେ ଅନୁଷ୍ଠିତ ‘ଚତୁର୍ଥ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ’ରେ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ୟୁଏଇ, ୟୁକେ, ଓମାନ ଏବଂ ମରିସସର ଶିକ୍ଷା ମନ୍ତ୍ରୀଙ୍କ ସମେତ ୟୁନିସେଫ୍ ଓ ଓଇସିଡି ସଂଗଠନର ପ୍ରତିନିଧିଙ୍କ ସହ ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଓମାନର ଉଚ୍ଚଶିକ୍ଷା, ଅନୁସନ୍ଧାନ ଏବଂ ନବସୃଜନ ମନ୍ତ୍ରୀ ଡା. ରହମା ଇବ୍ରାହିମ୍ ଅଲ୍ ମହାରୁକିଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ବିଶେଷତଃ ଉଚ୍ଚଶିକ୍ଷା, ଗବେଷଣା, ଉର୍ଜା, ଖାଦ୍ୟ ସୁରକ୍ଷା, ବାୟୋଟେକ୍ ଏବଂ ସ୍ଥାୟୀତ୍ୱ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବ୍ୟାପକ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପ୍ରଧାନ । ଅନୁରୂପ ଭାବରେ ୟୁଏଇର ଶିକ୍ଷା ମନ୍ତ୍ରୀ ଅହମ୍ମଦ ବେନହଲ୍ ଅଲ୍ ଫାଲାସୀଙ୍କ ସହ ‘ସ୍କୁଲରୁ ସ୍କିଲ୍’ର କଳ୍ପନାକୁ ପୂରଣ କରିବା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସମ୍ମତି ପ୍ରକାଶ କରିଥିଲେ । ଏହି ବୈଠକରେ ଶ୍ରୀ ପ୍ରଧାନ ଭାରତ ଏବଂ ୟୁଏଇ ଛାତ୍ରଛାତ୍ରୀ ଏବଂ ଦକ୍ଷ ମାନବ ସମ୍ବଳର ସୁବିଧା ପାଇଁ ଡିଗ୍ରୀ ସମାନତା ଓ ଦକ୍ଷତା ସମନ୍ୱୟର ଫ୍ରେମଓ୍ୱାର୍କ ଉପରେ ଆଲୋଚନା କରିଥିଲେ।

ମରିସସର ଉପ ପ୍ରଧାନମନ୍ତ୍ରୀ ତଥା ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଲୀଲା ଦେବୀ ଡୁକୁନ – ଲୁଚୋମୁନଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆଲୋଚନା ହୋଇଥିଲା । ମୋରିସସରେ ପାଠ୍ୟକ୍ରମ ଗବେଷଣା ଏବଂ ବିକାଶ ପାଇଁ ଅନୁଷ୍ଠାନ ପ୍ରତିଷ୍ଠା ତଥା କ୍ଷମତା ବୃଦ୍ଧି କରିବା ପାଇଁ ଭାରତ ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ ଆଶ୍ୱାସନା ପ୍ରଦାନ କରିଥିଲେ । ୟୁକେର ସ୍କୁଲ ରାଷ୍ଟ୍ର ମନ୍ତ୍ରୀ ନିକ୍ ଗିବର ଶିକ୍ଷା ମନ୍ତ୍ରୀଙ୍କ ସହ ଧନ୍ଦାମୂଳକ ତାଲିମ ସହ ଦକ୍ଷତା ବିକାଶ କ୍ଷେତ୍ରରେ ବିଶେଷ ଭାବରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ଆହୁରି ଦୃଢ଼ କରିବା ଦିଗରେ ଗୁରୁତ୍ୱାରୋପ ଦିଆଯାଇଥିଲା ।
ୟୁନିସେଫର ଶିକ୍ଷା ଏବଂ କିଶୋର ବିକାଶର ନିର୍ଦ୍ଦେଶକ ରୋବର୍ଟ ଜେନକିନ୍ସ ତଥା ଓଇସିଡିର ଡେପୁଟି ସେକ୍ରେଟାରୀ ଜେନେରାଲ ୟୋସିକ୍ ଟି ଙ୍କ ସହ ଜି-୨୦ ସମ୍ପର୍କୀତ ବୈଠକ ଏବଂ ଗ୍ଲୋବାଲ ସାଉଥରେ ଭାରତର ପରିବର୍ତ୍ତନଶୀଳ ବିଷୟକୁ ରୂପାନ୍ତରଣ କରିବା ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବା ଦିଗରେ ଆଲୋଚନା କରିଥିଲେ । ସେହିପରି ୟୁନିସେଫ ଓ ଭାରତ ସରକାରଙ୍କ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଜାରି ରହିଥିବା କାର୍ଯ୍ୟ ଏବଂ ଫଳାଫଳ ନେଇ ଆଲୋକପାତ କରିଥିଲେ । ଜାତୀୟ ଶିକ୍ଷା ନୀତି ଆଧାରରେ ଶିଶୁଯତ୍ନ ଏବଂ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ୟୁନିସେଫ୍ ଓ ଭାରତର ସହଯୋଗକୁ ବ୍ୟାପକ କରିବା ପାଇଁ ଚର୍ଚ୍ଚା ହୋଇଥିଲା ।

Leave A Reply

Your email address will not be published.