ପୁରୁଣା ପେନସନ ଦାବିରେ ଭୁବନେଶ୍ବରରେ ବିଶାଳ ଶିକ୍ଷକ-କର୍ମଚାରୀ ଏକ ଦିବସୀୟ ଧାରଣା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ସରକାରଙ୍କ ପେନସନ ନୀତିରେ ପରିବର୍ତ୍ତନ ଯୋଗୁଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟର କୋଟି କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀ ବୟସର ଅପରାହ୍ନରେ ଆଶାବାଡ଼ି ସାଜିଥିବା ପେନସନର ଭବିଷ୍ୟତକୁ ନେଇ ଅନେକ ସନ୍ଦେହ ଓ ଆଶଙ୍କାରେ କାଳାତିପାତ କରୁଛନ୍ତି। ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶବିଶେଷ ଭାବେ ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି ଓ ବିଶ୍ବ ବ୍ୟାଙ୍କର ପ୍ରରୋଚନାରେ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କ ଜିଦଖୋର ମନୋବୃତ୍ତି ଯୋଗୁଁ ସମସ୍ତ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ପୁରାତନ ପେନସନ ଯୋଜନା (ଓପିଏସ) ବାତିଲ ହୋଇ ନୂତନ ପେନସନ ଯୋଜନା ଅଥବା ଜାତୀୟ ପେନସନ ଯୋଜନା (ଏନପିଏସ)ର ପ୍ରଚଳନ ହେଲା ଓ ପରେ ୨୦୧୩ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରଙ୍କ ସମୟରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଲାଗୁହେଲା। ଓଡିଶା ଭଳି ରାଜ୍ୟ ୧ ଜାନୁୟାରୀ ୨୦୦୫ରୁ ଏନପିଏସ ଲାଗୁ କରିଥିବା ବେଳେ, ପଶ୍ଚିମ ବଙ୍ଗ ଓ ତାମିଲନାଡୁ ଭଳି ରାଜ୍ୟରେ ଏ ପର୍ଯ୍ୟନ୍ତ ଏହା ଲାଗୁ ହୋଇ ନାହିଁ। ୨୦୦୩ରୁ ରାଜ୍ୟ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କର କ୍ରମାଗତ ସଂଘର୍ଷ ଫଳରେ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ଆନ୍ଧ୍ରପ୍ରଦେଶ ସରକାର ଶେଷ ଦରମାର ୩୩ ପ୍ରତିଶତ ପେପସନ ଆକାରରେ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଓପିଏସକୁ ଫେରିବା ନିମିତ୍ତ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ମହାରାଷ୍ଟ୍ର ସରକାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ପାଇଁ ୧୪ ମାର୍ଚ୍ଚ ୨୦୨୩ରେ ଏକ କମିଟି ନିଯୁକ୍ତି କରିଛନ୍ତି।

ଫଳରେ ୨୦୦୩ରୁ ଏଯାବତ ଗୋଟିଏ ପଟେ ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ ଓ ଶିକ୍ଷକଙ୍କ ସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିରବଚ୍ଛିନ୍ନ ଆନ୍ଦୋଳନ ଓ ଅନ୍ୟପକ୍ଷେ ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ଓପିଏସ ମୁହାଁ ହେଉଥିବା ଯୋଗୁଁ କେନ୍ଦ୍ର ସରକାର ଅନନ୍ୟୋପାୟ ହୋଇ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆଣିବା ସକାଶେ ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେଏକ କମିଟି ବସେଇବେ ବୋଲି ୨୪ ମାର୍ଚ୍ଚ ୨୦୨୩ରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରି ୬ ଏପ୍ରିଲ ୨୦୨୩ରେ ଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଶ୍ରମିକ କର୍ମଚାରୀଙ୍କ ମଙ୍ଗଳ ସକାଶେ ସରକାର ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଗତ ବଜେଟ ଅଧିବେଶନରେ ଏକ ବିଧିବଦ୍ଧ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା। ହେଲେ କମିଟି ଗଠନ କରି ସରକାର କର୍ମଚାରୀଙ୍କ ଆନ୍ଦୋଳନରେ ବିରାମ ଲଗେଇବାକୁ ଚେଷ୍ଟା କରିଛନ୍ତି ହୃଦବୋଧ କରି କମିଟିର କାର୍ଯ୍ୟକାରିତାକୁ ନେଇ କର୍ମଚାରୀ ମହଲରେ କମ ଆଶା ଏବଂ ଅନେକ ଆଶଙ୍କା ଓ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।

ତେଣୁ ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ଓ ଓପିଏସର ପୁନଃ ପ୍ରଚଳନ ପାଇଁ ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ଏହି କର୍ମଚାରୀ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ JFROPS(JOINT FORUM FOR RESTORATION OF OLD PENSION) ତଥା ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ଓଡ଼ିଶା ଶାଖ ଆନୁକୂଲ୍ୟରେ ଆଜି ୨୧ ମଇ ୨୦୨୩ରେ ଭୁବନେଶ୍ବରରେ ରାଜଭବନ ସମ୍ମୁଖରେ ଏକ ଦିବସୀୟ ଧାରଣାର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଓଡ଼ିଶାର କୋଣ ଅନୁକୋଣରୁ ୧୦୦୦ରୁ ଉର୍ଦ୍ଧ ରେଳବାଇ,କେନ୍ଦ୍ର ସରକାରୀ, ଶିକ୍ଷକଙ୍କ ସହ ରାଜ୍ୟ ସରକାରୀ କର୍ମଚାରୀମାନେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧିତ କରି ଏନଜେସିଏ ଓଡ଼ିଶାର ଆବାହକ ତଥା ପୂର୍ବତଟ ରେଳପଥ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପି କେ ପାଟସାହାଣୀ , କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ, ଓଡିଶା ରାଜ୍ୟ ସମ୍ମନ୍ୱୟ ସମିତିର ସଭାପତି ରବୀନ୍ଦ୍ରନାଥ ଧଳ ଓ ସାଧାରଣ ସମ୍ପାଦକ ବୃହସ୍ପତି ସାମଲ, ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଓ ପ୍ରତିନିଧି ସାଥୀ ଅଶୀଳ ବ୍ରହ୍ମା, ଆଯକର କର୍ମଚାରୀ ମହାସଂଘ ଓଡ଼ିଶାର ସାଧାରଣ ସମ୍ପାଦକ ସାଥୀ ଚିତ୍ତରଞ୍ଜନ ପଟ୍ଟନାୟକ, ସର୍ବଭାରତୀୟ ନିରାପତ୍ତା କର୍ମଚାରୀ ମହାସଂଘର ଦେବବ୍ରତ ଜେନା, ଏନଏଫପିଇର ପ୍ରତିନିଧୀ ସୁଧୀର କୁମାର ସ୍ୱାଇଂ, ପୂର୍ବତଟ ରେଳବାଇର ଈତିଶ୍ରୀ ସାହୁ, ଅଙ୍କିତ ବର୍ଣ୍ଣଲ, ରଣଜିତ ଦାସ, ଅଙ୍ଗନବାଡି ସଂଗଠନରୁ କନକଲତା ମିଶ୍ର, ସତ୍ୟଭାମା ସ୍ୱାଇଂ, କୃଷ୍ଣପ୍ରିୟା ରାୟ ଓ ଅନେକ ଏନପିଏସ ଉପଭୋକ୍ତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣ ନୀତିକୁ ତୀବ୍ର ନିନ୍ଦା କରିବା ସହ ପୁରୁଣା ପେପସନ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ଦାବି କରିଥିଲେ।

କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। ଏନପିଏସ ଉପଭୋକ୍ତାମାନେ ସରକାରୀ ଚାକିରୀରୁ ଅବସର ନେଇ ପରିବାର ପ୍ରତିପୋଷଣ ପାଇଁ କିଏ ପରିବା ବିକୁଛି ତ କିଏ ପାନ ଦୋକାନ ଖଣ୍ଡେ କରି ଚଳୁଛି। କେହି କେହି ସ୍ୱାଭିମାନୀ ଆତ୍ମହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ପେନସନ କାହାରି ଦାନ ବା ଦୟା ନୁହେଁ, ବରଂ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଅନୁମୋଦିତ ଏହା ଏକ କର୍ମଚାରୀର ସାମ୍ବିଧାନିକ ଅଧିକାର। ବୟସର ଅପରାହ୍ନରେ କର୍ମଚାରୀର ଏହା ଏକ ଆଶାବାଡ଼ି ଓ ସାମାଜିକ ସୁରକ୍ଷା। ସାମ୍ପ୍ରତିକ ପରିସ୍ଥିତିରେ ବୟସ୍କ ନାଗରିକମାନଙ୍କ ପ୍ରତି ପରିବାର ସଦସ୍ୟଙ୍କ ବ୍ୟବହାର ନ କହିବା ଭଲ। ଏଇ ପେନସନ ଯୋଗୁଁ ସମାଜରେ ସେମାନଙ୍କର ସ୍ଥିତି କିଛି ପରିମାଣରେ ସୁରକ୍ଷିତ।

ସଂସ୍କାର ଆଳରେ ଏହି ଅଧିକାରକୁ କ୍ଷୁର୍ଣ୍ଣ କରିବା ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶର ପରିପନ୍ଥୀ। ଦେଶର ଜନ ପ୍ରତିନିଧିମାନେ ମାତ୍ର ୫ବର୍ଷ ପାଇଁ ନିର୍ବାଚିତ ହୋଇ ନିଜର ବେତନ ଓ ଭତ୍ତା ବୃଦ୍ଧି କରି ଓପିଏସ ଆଧାରରେ ଏକାଧିକ ପେନସନର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଦି କର୍ମଚାରୀ ପକ୍ଷର ନେତୃମଣ୍ଡଳୀ ସହ ଆଲୋଚନା କରି ଉପରୋକ୍ତ ସମସ୍ୟାର ଆଶୁ ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି JFROPS ତଥା ଏନଜେସିଏ ଓଡ଼ିଶା ଶାଖା ତରଫରୁ ଏକ ମିଳିତ ପ୍ରେସ ବିବୃତିରେ ସରକାରଙ୍କୁ ଦୃଢ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.