୧୪ହଜାର ଅଭିଯୋଗର ସମାଧନ କଲେଣି ସିଏମ୍ ମୋହନ

0

ଓଡ଼ିଆ ନ୍ୟୁଜ୍: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୬ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତଥିଲେ। ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ୭୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା।  ଶୁଣାଣି ପ୍ରକୋଷ୍ଠ ପରେ ଗଣମାଧ୍ୟମ ଆଗରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ପ୍ରଥମରୁ ହିଁ ସାଧାରଣ ଲୋକଙ୍କ ସହିତ ଯୋଡ଼ି ହୋଇରହିଛି। ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଆମେ ସର୍ବାଧିକ ଗୁରୁତ୍ୱ ଦେଇ କାମ କରୁଛନ୍ତି। ତାଙ୍କ ସରକାର ପ୍ରକୃତ ଅର୍ଥରେ ହେଉଛି ସାଧାରଣ ଲୋକଙ୍କ ସରକାର।

ସେ କହିଛନ୍ତି, ପ୍ରତିଟି ଅଭିଯୋଗର ସ୍ଥିତି ଉପରେ ନିୟମିତ ନଜର ରଖାଯାଉଛି। ରାଜ୍ୟସ୍ତର ଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ବ୍ୟବସ୍ଥାର ତଦାରଖ କରାଯାଉଛି। ତେଣୁ, ସମାଧାନର ହାର ବୃଦ୍ଧି ପାଉଛି । ଏହାଦ୍ୱାରା ଏହି ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭରସା ବୃଦ୍ଧି ପାଉଛି।  ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ ୧୮ଟି ପାଳିରେ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ୧୪,୯୪୧ ଅଭିଯୋଗ ମଧ୍ୟରୁ ୧୪,୩୩୧ ଅର୍ଥାତ ୯୬ ପ୍ରତିଶତ ଅଭିଯୋଗର ସଫଳ ସମାଧାନ କରାଯାଇସାରିଛି। ଏଥି ସହିତ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍.ପି ମାନେ ନିୟମିତ ଭାବେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିବା ବେଳେ ତହସିଲ ଓ ବ୍ଲକ ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ନିୟମିତ ରୂପେ ଚାଲିଛି। ଜିଲ୍ଲାସ୍ତରରେ ଜୁନ୍ ମାସ ଶେଷ ସୁଦ୍ଧା ୨,୫୯,୨୧୩ ଅଭିଯୋଗ ଶୁଣାଣି ହୋଇ ୮୯ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି।

ଆଜିର ଶିବିରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ,  ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,  ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ   ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

Leave A Reply

Your email address will not be published.