ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି 12 ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି | 6 ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଜିଲ୍ଲାରେ ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟରେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତାମାନେ ସହରର ବିଭିନ୍ନ ଛକ ମାନଙ୍କରେ ରାସ୍ତା ଅବରୋଧ କରିଛନ୍ତି ।
ତେବେ ବନ୍ଦରୁ ଅତ୍ୟାବଶକୀୟ ସାମଗ୍ରୀ କ୍ରୟ ସହ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ନବରଙ୍ଗପୁର – ଜୟପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ଅହେତୁକ ବିଳମ୍ବ ଜିଲ୍ଲା ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ସୂଚାଉଛି ବୋଲି ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି।
ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟାଗୁଡିକର ରହିଥିବା ବେଳେ ଏହାର ସମାଧାନ କରିବା ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛି ବିଜେପି । ସମସ୍ୟାଗୁଡିକର ସମାଧାନ ଦାବିରେ ଏହି ବନ୍ଦ ପାଳନ କରାଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି । ଦାବି ଅନୁଯାୟୀ, ନବରଙ୍ଗପୁର, ଜୟପୁର ଓ ନବରଙ୍ଗପୁର ଜୁନାଗଡ଼ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଜମି ଗ୍ରହଣରେ ଅହେତୁକ ବିଳମ୍ବ ହେତୁ ଏହି କାର୍ଯ୍ୟ ହୋଇପାରୁନଥିବା ଅଭିଯୋଗ କରିଛି ବିଜେପି । ଯଥାଶୀଘ୍ର ଜମି ଗ୍ରହଣ କରି ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରାଯାଇଛି ।