ଫେବ୍ରୁଆରୀ ୧୬ ତାରିଖରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା । ଏନେଇ ବିଏମ୍ସିର ବସିଛି ପ୍ରସ୍ତୁତି ବୈଠକ |  ଫେବୃଆରୀ ୧୬ ତାରିଖରୁ ୨୪ ତାରିଖ ଯାଏଁ ଚାଲିବ ପ୍ରସିଦ୍ଧ ଐତିହାସିକ ଖଣ୍ଡଗିରି କୁମ୍ଭମେଳା । ମେଳାକୁ ଶୃଙ୍ଖଳିତ ଢଙ୍ଗରେ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଏକାମ୍ର ହଲରେ ଏହି ମେଳା ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା । ସଠିକ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗକୁ ନେଇ କରାଯାଇଛି ଆଲୋଚନା ।

ପୂର୍ବ ବର୍ଷ ଅପେକ୍ଷା ଏଥର ମେଳାକୁ ଆହୁରି ସରସ ସୁନ୍ଦର କରିବାକୁ ଯୋଜନା କରାଯାଉଥିବା କହିଛି ବିଏମସି । ସାଧୁସନ୍ଥମାନଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସୂଚନା କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ଵ ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଏହାସହ ପାର୍କିଂ ବ୍ୟବସ୍ଥା, ମୀନା ବଜାରର ଆୟୋଜନ ହେବ । ମେଳାକୁ କିଭଳି ନୂଆ ବ୍ୟବସାୟୀମାନେ ଅଧିକ ଆସି ସାମିଲ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ସମ୍ପୂର୍ଣ୍ଣ ମେଳା ପରିଚାଳନାକୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି କହିଛନ୍ତି ବିଏମସି ମେୟର । ଏହି ପ୍ରସ୍ତୁତି ବୈଠକରେ ବିଏମସି ମେୟର, ଡେପୁଟି ମେୟର, କମିଶନର, ୱାଟୋକୋ, ଏନଏଚଏଆଇ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଭଳି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ମେଳା କମିଟିର ସଦସ୍ୟ ଓ ସ୍ଥାନୀୟ କର୍ପୋରେଟରମାନେ ସାମିଲ ଥିଲେ । ଏହାସହ ସ୍ୱଚ୍ଛତା ପରିଚାଳନା ଓ ସ୍ୱାସ୍ଥ୍ୟକର ଖାଦ୍ୟ କିଭଳି ଦିଆଯିବ ତା’ ଉପରେ ବିଏମସି ଧ୍ୟାନ ଦେବ ବୋଲି କହିଛନ୍ତି ମେୟର ।

Leave A Reply

Your email address will not be published.